fbpx
BSKY SKY
BSKY SKY

ଆଜି ବାଂଲାଦେଶରେ ସାଧାରଣ ନିର୍ବାଚନ, ୫ମ ଥର ପାଇଁ କ୍ଷମତାକୁ ଆସିବେ କି ଶେଖ୍ ହସୀନା

BSKY

ଢ଼ାକା: ଆଜି ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଯାଉଛି । ବାଂଲାଦେଶ ସଂସଦର ୩୦୦ଟି ଆସନ ପାଇଁ ଭୋଟଗ୍ରହଣ ସକାଳ ୮ଟାରୁ ଆରମ୍ଭ ହୋଇ ଆପରାହ୍ନ ୪ଟାରେ ଶେଷ ହେବ । ଏହି ନିର୍ବାଚନରେ ୧୭ କୋଟିରୁ ଉର୍ଦ୍ଧ୍ୱ ଭୋଟର ପଞ୍ଜିକୃତ ହୋଇଛନ୍ତି । ଭୋଟ ଗ୍ରହଣ ଶେଷ ହେବା ପରେ ତୁରନ୍ତ ଭୋଟ ଗଣତି କରାଯିବ ଏବଂ ସୋମବାର ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ଶେଖ୍ ହସୀନାଙ୍କ ଆୱାମୀ ଲିଗ୍ ଦଳ ୫ମ ଥର ପାଇଁ କ୍ଷମତା ହାସଲ କରିବାକୁ ଲକ୍ଷ ରଖିଛି । ତେବେ ନିର୍ବାଚନ ସମୟରେ କୌଣସି ପ୍ରକାର ହିଂସାକୁ ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିପାଇଁ ୮ ଲକ୍ଷରୁ ଉର୍ଦ୍ଧ୍ୱ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ସମ୍ବେଦନଶୀଳ ସ୍ଥାନରେ ସେନା ଜବାନ ମୁତୟନ ହୋଇଛନ୍ତି ।

ଏହି ସାଧାରଣ ନିର୍ବାଚନରେ ୨୭ଟି ରାଜନୈତିକ ଦଳର ୧୫୦୦ରୁ ଉର୍ଦ୍ଧ୍ୱ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ସେମାନଙ୍କ ବ୍ୟତୀତ ୪୩୬ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଅଛନ୍ତି । ଭାରତର ୩ ଜଣ ପର୍ଯ୍ୟବେକ୍ଷକଙ୍କ ସମେତ ୧୦୦ରୁ ଅଧିକ ବିଦେଶୀ ପର୍ଯ୍ୟବେକ୍ଷକ ନିର୍ବାଚନର ସୁରକ୍ଷା ଉପରେ କଡ଼ା ନଜର ରଖିବେ । ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର କାଜି ହବୀବୁଲ ଅୱଲ କହିଛନ୍ତି ଯେ ଆମ ନିର୍ବାଚନ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଆନ୍ତର୍ଜାତୀୟ ସ୍ତରରେ ଦେଖାଯିବା କଥା । ବାଂଲାଦେଶ, ମିଳିତ ଜାତିସଂଘର ସଦସ୍ୟ ଏବଂ ବିଭିନ୍ନ ଆନ୍ତର୍ଜାତୀୟ ଦସ୍ତାବିଜରେ ମଧ୍ୟ ଦସ୍ତଖତ କରିଛି । ତେବେ ଏହି ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି)ର ଅନୁପସ୍ଥିତି ଯୋଗୁଁ ପ୍ରଧାନମନ୍ତ୍ରୀ ଶେଖ୍ ହସୀନା କ୍ରମାଗତ ୫ମ ଥର ଜିତିବେ ବୋଲି ଆଶା କରାଯାଉଛି । ବିରୋଧୀ ଦଳ ବିଏନପି ଏହି ନିର୍ବାଚନକୁ ବହିଷ୍କାର କରିଛି ଏବଂ ୪୮ ଘଣ୍ଟା ପାଇଁ ଦେଶବ୍ୟାପି ଧର୍ମଘଟ ପାଇଁ ନିବେଦନ କରିଛି ।

Get real time updates directly on you device, subscribe now.