ଫ୍ଲୋରିଡା: ଆମେରିକାର ଫ୍ଲୋରିଡାରେ ୪ ବର୍ଷ ତଳେ ଘଟିଥିବା ଚମକପ୍ରଦ ଘଟଣାରେ ଆସିଛି ରାୟ । ୪ ବର୍ଷର ଶୁଣାଣି ପରେ କୋର୍ଟ ଅଭିଯୁକ୍ତା ପ୍ରେମିକାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଘଟଣାରେ ପ୍ରେମିକା ଖେଳ ଖେଳରେ ପ୍ରେମିକଙ୍କୁ ସୁଟକେଶରେ ପୁରାଇ ଶୋଇପଡିଥିଲେ । ଶୋଇ ଉଠିବା ବେଳକୁ ପ୍ରେମିକର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାରେ କୋର୍ଟଙ୍କ ସମ୍ମୁଖରେ ପ୍ରମାଣ ସ୍ୱରୂପ ଏକ ଭିଡିଓ ଦେଖାଇଥିଲା । ଏଥିରେ ପ୍ରେମିକ ପ୍ରାଣ ବିକଳରେ ଚିତ୍କାର କରୁଥିବା ବେଳେ ପ୍ରେମିକା ହସୁଥିବା ଦେଖିବାକୁ ମିଳିଥିଲା ।
ଘଟଣାଟି ଏମିତି ଥିଲା, ପ୍ଲୋରିଡାରେ ରହୁଥିବା ୪୭ ବର୍ଷୀୟା ସାରା ବୁନେ ୪୨ ବର୍ଷୀୟ ଜର୍ଜ ଟୋରେସ ଜୁନିୟରଙ୍କୁ ପ୍ରେମ କରୁଥିଲେ । ଦିନେ ଉଭୟ ବସି ମଦ ପିଇଥିଲେ ଓ ଏକ ଖେଳ ଖେଳିଥିଲେ । ଖେଳରେ ବଡ ସୁଟକେଶରେ ଟୋରେସଙ୍କୁ ପଶିବାର ଥିଲା । ଟୋରେସ ମଧ୍ୟ ସୁଟକେଶରେ ପଶିଲେ । ଏହା ପରେ ସାରା ସୁଟକେଶର ଚେନ ଦେଇଦେଲେ । ଟୋରେସଙ୍କ ଦୁଇଟି ଆଙ୍ଗୁଳି ସୁଟକେସ ବାହାରକୁ ବାହାରି ଥିଲା ।
କିଛି ସେକେଣ୍ଡ ପରେ ଟୋରେସଙ୍କ ଶ୍ୱାସରୁଦ୍ଧ ହୋଇ ସେ ଚିଲେଇଥିଲେ ବାହାରକୁ ବାହାର କରିବାକୁ । ହେଲେ ନିଶାସକ୍ତ ପ୍ରେମିକା ସାରା ତାଙ୍କୁ ବାହାର କରିବା ବଦଳରେ ହସିଥିଲେ ଓ ସେଇଠି ବସି ବସି ଶୋଇପଡିଥିଲେ । ସବୁ ଘଟଣା ସାରାଙ୍କ ମୋବାଇଲେ ରେକର୍ଡ ମଧଯ଼ ହୋଇଥିଲା । ନିଦରୁ ଉଠିବା ପରେ ସାରା ତୁରନ୍ତ ଯାଇ ସୁଟକେଶ ଖୋଲିଥିଲେ । ହେଲେ ସେତେବେଳକୁ ଟୋରେସ ନିସ୍ତେଜ ହୋଇ ପଡିଥିଲେ । ସାରା ତୁରନ୍ତ ପୋଲିସକୁ ଖବର ଦେଇଥିଲେ ଆମ୍ବୁଲାନ୍ସ ପାଇଁ । ପୋଲିସ ଆସି ଦେଖେ ତ ଟୋରେସଙ୍କ ପ୍ରାଣବାୟୁ ଉଡିଯାଇଥିଲା । ପୋଲିସ ଘଟଣାରେ ସାରାଙ୍କୁ ଗିରଫ କରିଥିଲା । ଟୋରେସଙ୍କ ହତ୍ୟା ଘଟଣାରେ ୪ ବର୍ଷର ଲଢେଇ ପରେ କୋର୍ଟ ସାରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।