fbpx

ନିଶାରେ ଚୂର ବ୍ୟକ୍ତିଙ୍କୁ ଘରେ ଛାଡିବାର ଦାୟିତ୍ଵ ବାର ମାଲିକଙ୍କର, ଏହି ରାଜ୍ୟରେ ଲାଗୁ ହେବ ନୂଆ ନିୟମ

ପାଣାଜି: ସାଧାରଣତଃ ମଦ ନିଶାରେ ଲୋକେ ରାସ୍ତାରେ ଗଡନ୍ତି କିମ୍ବା ଲୋକଙ୍କ ସହ ଦୁର୍ବ୍ୟବହାର କରନ୍ତି। ଏପରିକି ନିଶାରେ କାର ଚଳାଉଥିବା ଲୋକେ ସଡକ ଦୁର୍ଘଟଣାର ଶିକାର ହୁଅନ୍ତି। ମାତ୍ର ଏବେ ମଦ୍ୟପଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘର ପର‌୍ୟ୍ୟନ୍ତ ଛାଡିବ ବାର। ବାର ଏହା ସୁନିଶ୍ଚିତ କରିବ ଯେ, ନିଶାରେ ଚୂର କୌଣସି ବ୍ୟକ୍ତି ଯେମିତି ରାସ୍ତାରେ ନଗଡେ କି ଦୁର୍ଘଟଣାରେ ଶିକାର ନହୁଏ। ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି ଗୋଆ ପରିବହନ ମନ୍ତ୍ରୀ ମୌଭିନ ଗୋଡିନହୋ। ଏ ନେଇ ରାଜ୍ୟ ସରକାର ଶୀଘ୍ର ଏକ ନୂତନ ମାନଦଣ୍ଡ ଲାଗୁ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଙ୍କ ଅନୁଯାୟୀ, ବଡ ବଡ ବାର ଏବଂ ମଦ ପରସୁଥିବା ରେଷ୍ଟୁରାଣ୍ଟ ନିକଟରେ ଟ୍ୟାକ୍ସି ଉପଲବ୍ଧ ରହିବ। ଯଦ୍ଵାରା ନିଶାରେ ଚୁର ବ୍ୟକ୍ତି ଯେମିତି ନିଜ ଗାଡି ଚଲାଇବେ ନାହିଁ ଏବଂ ଦୁର୍ଘଟଣାର ଶିକାର ହେବେ ନାହିଁ। ଆମର ଅଧିକାରୀ ଯେଉଁଠି ଅଧିକ ଭିଡ ରହୁଛି ସେହି ବାର ଏବଂ ରେଷ୍ଟୁରାଣ୍ଟର ମାଲିକ ସହ କଥା ହେବେ। ଯଦି ଗ୍ରାହକ ନିଶାରେ ଥିବେ, ତେବେ ବାର ମାଲିକଙ୍କ ଦାୟିତ୍ଵ ସେ କ୍ୟାବ୍ ବୁକ୍ କରି ତାଙ୍କୁ ସୁରକ୍ଷିତ ଘରକୁ ପଠାଇବେ।

ସୋମବାର ୧୧ତମ ରାଜ୍ୟ ସଡକ ସୁରକ୍ଷା ସପ୍ତାହର ଉଦଘାଟନ ଅବସରରେ ମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ନିଶାରେ ଚୁର ବ୍ୟକ୍ତିଙ୍କୁ ଟ୍ୟାକ୍ସି ଘରେ ନେଇ ଛାଡିବ। ତାର ପରବର୍ତ୍ତୀ ଦିନ ବ୍ୟକ୍ତି ବାର ଆସି ତାଙ୍କ କାର ନେଇ ଯାଇ ପାରିବେ। କେବଳ ନିଶାରେ ନଥିବା ବ୍ୟକ୍ତିଙ୍କୁ କାର ଚଳାଇବାକୁ ଅନୁମତି ଦିଆଯିବ। ମଦ୍ୟପାନ କରି ଗାଡିଚାଳାନ ହିଁ ଦୁର୍ଘଟଣାର ବଡ କାରଣ ବୋଲିସ ସେ କହିଛନ୍ତି। ଏଥିପାଇଁ ଗୋଆ ରାଜ୍ୟ ସରକାର ନୂତନ ନିୟମ ଲାଗୁ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.