fbpx

Jonestown Massacre: ଏକସଙ୍ଗେ ୯୧୮ ଜଣ ଆତ୍ମହତ୍ୟା କରିଥିଲେ, କ’ଣ ଏମିତି ଘଟିଥିଲା, ଜାଣନ୍ତୁ ଏକ ଭୟଙ୍କର କାହାଣୀ

ନୂଆଦିଲ୍ଲୀ: ଆତ୍ମହତ୍ୟା ଠାରୁ ଆଉ ଭୟଙ୍କର ମାନସିକ ରୋଗ ବୋଧହୁଏ କିଛି ନାହିଁ । ଆତ୍ମହତ୍ୟାର ପଥକୁ ଆଦରି ନେଉଥିବା ବ୍ୟକ୍ତିବିଶେଷଙ୍କୁ ଏ ସମାଜ ଭିରୁର ଆଖ୍ୟା ଦେଇଥାଏ । ଅନେକ ଲୋକ କଠିନ ପରିସ୍ଥିତିକୁ ସାମ୍ନା କରିନପାରି ଆତ୍ମହତ୍ୟା ପରି କ୍ରୁର ପଥକୁ ଆପଣାଇ ନେଇଥାନ୍ତି । ତେବେ ଆପଣଙ୍କୁ ଯଦି କୁହାଯିବ ଏକସଙ୍ଗେ ୯ ଶହ ଲୋକ ଆତ୍ମହତ୍ୟା କରିଥିଲେ, ତେବେ ଏକଥା ହୁଏତ କେହି ବିଶ୍ୱାସ କରିପାରିବେ ନାହିଁ । ମାତ୍ର କଥାଟି ସମ୍ପୂର୍ଣ୍ଣ ସତ ।

ଗତ ୧୯୭୮ ମସିହା ନଭେମ୍ବର ମାସ ୧୮ ତାରିଖରେ ଦେଖିବାକୁ ମିଳିଥିଲା ଏପରି ଏକ କାଳରାତ୍ରି । ଦକ୍ଷିଣ ଆମେରିକାର ଗୟାନାରେ ଘଟିଥିଲା ଏପରି ଏକ ଅଘଟଣ । ଜିମ ଜୋନ୍ସଙ୍କ ନାମକ ଜଣେ ଧର୍ମଗୁରୁଙ୍କ ଇସାରାରେ ଏକସଙ୍ଗେ ୯୧୮ ଜଣ ଲୋକ ଆତ୍ମହତ୍ୟା କରିଥିଲେ । ମୃତକଙ୍କ ମଧ୍ୟରେ ୨୩୪ ଜଣ ଶିଶୁ ମଧ୍ୟ ସାମିଲ ଥିଲେ । ଏହା ଆମେରିକାର ଇତିହାସର ସବୁଠାରୁ ବଡ଼ ଦର୍ଦନାକ ଘଟଣା ଥିଲା । ଏହି ଘଟଣାକୁ ନେଇ ସେ ସମୟରେ ସାରା ବିଶ୍ୱରେ ହଲଚଲ ସୃଷ୍ଟି ହୋଇଥିଲା ।

ଧର୍ମଗୁରୁ ଜୋନ୍ସ ନିଜକୁ ଭଗବାନ ବୋଲି ବିଚାରୁଥିଲେ । ଯଦି ଏକସଙ୍ଗେ ସମସ୍ତେ ଆତ୍ମହତ୍ୟା କରିବେ ତେବେ ସମସ୍ତଙ୍କୁ ମୁକ୍ତି ମିଳିବ ବୋଲି ଧର୍ମଗୁରୁ କହିଥିଲେ । ଧର୍ମଗୁରୁଙ୍କ କଥାକୁ ବିଶ୍ୱାସ କରି ମୁକ୍ତି ପାଇବା ଆଶାରେ ଶହ ଶହ ଲୋକ ଆତ୍ମହତ୍ୟା କରିବାକୁ ପଛାଇ ନଥିଲେ । ୧୯୩୧ ମସିହା ମେ ମାସ ୧୩ ତାରିଖରେ ଇଣ୍ଡିଆନାର କ୍ରେଟେ ସହରରେ ଜୋନ୍ସ ଜନ୍ମଗ୍ରହଣ କରିଥିଲେ । ସେ ବଡ଼ ହୋଇ ଜଣେ ପାଦ୍ରୀ ହୋଇଥିଲେ ଓ ସର୍ବଦା ବିଶ୍ୱରେ ନିଜର ଖ୍ୟାତି ଅର୍ଜନ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ।

୧୯୫୫ରେ ଜୋନ୍ସ ପ୍ରସିଦ୍ଧି ଲାଭ ଉଦ୍ଦେଶ୍ୟରେ କ୍ରେଟେ ସହରରେ ‘ଦି ପିପୁଲ୍ସ ଟେମ୍ପଲ’ ନାମକ ଏକ ଚର୍ଚ୍ଚ ଖୋଲିଥିଲେ । ସେଠାରେ ସେ ବିଶ୍ୱର ଅନେକ ଲୋକଙ୍କୁ ଧାର୍ମିକ ଜ୍ଞାନ ଦେଉଥିଲେ । ସମୟକ୍ରମେ ସେ ଲୋକଙ୍କ ମଧ୍ୟରେ ନିଜର ପ୍ରଭାବ ସାବ୍ୟସ୍ତ କରିପାରିଥିଲେ । ମାତ୍ର ୧୯୭୯ରେ ତାଙ୍କର ଆଶ୍ରମକୁ ନେଇ ମିଡ଼ିଆରେ କିଛି ଖରାପ କଥା ଚର୍ଚ୍ଚା ହୋଇଥିଲା । ତେବେ ଆମେରିକା ସରକାର ଉକ୍ତ ଚର୍ଚ୍ଚକୁ ବନ୍ଦ କରି ଜୋନ୍ସଙ୍କୁ ସେଠାରୁ ତଡ଼ି ଦେଇଥିଲେ ।

ଏହାପରେ କ୍ରୋଧ ଜର୍ଜରିତ ହୋଇ ଜୋନ୍ସ ଗୟାନା ଦେଶକୁ ଚାଲିଯାଇ ଥିଲେ । ସେଠାରେ ମଧ୍ୟ ସେ ଏକ ଆଶ୍ରମ ଖୋଲିଥିଲେ । ସେ ସମୟରେ ଆମେରିକା-ଭିଏତନାମ ମଧ୍ୟରେ ଯୁଦ୍ଧ ଚାଲିଥିଲା । ଭିଏତନାମ ସହିତ ଆମେରିକା ସରକାର ତାଙ୍କୁ କାଳେ ଶତ୍ରୁ ଭାବିବେ ଏହି ଡର ଗୟନା ସରକାରଙ୍କର ରହିଥିଲା । ତେଣୁ କିଛି ଆମେରିକା ଲୋକ ତାଙ୍କ ଦେଶରେ ରହିଲେ ଆମେରିକା ତାଙ୍କ ଉପରେ ଆକ୍ରମଣ କରିବ ନାହିଁ ବୋଲି ଭାବି ଗୟନା ସରକାର ଜୋନ୍ସଙ୍କୁ ଆଶ୍ରମ ନିର୍ମାଣ ପାଇଁ ୩୮୦୦ ଏକର ଜମି ଦେଇଥିଲେ ।

ଜୋନ୍ସ ୧୯୫୬ରେ ଜୋନ୍ସ ଟାଉନ ନାମକ ଏକ ସହର ବସାଇ ଦେଇଥିଲେ । ସେଠାରେ ପାଖାପାଖି ୧୦୦୦ ଭକ୍ତ ରହିଥିଲେ । ସେମାନଙ୍କ ମଧ୍ୟରେ ଅଧିକାଂଶ ଆମେରିକା ଓ ଆଫ୍ରିକାର ଲୋକ ଥିଲେ । ଜୋନ୍ସ ଯେତେବେଳେ ଯାହା ଚାହୁଁଥିଲେ ତାହା କରିଦେଉଥିଲେ । ନିଜକୁ ଈଶ୍ୱର ଦର୍ଶାଇ ଭକ୍ତଙ୍କ ଉପରେ ନିର୍ଯାତନା ଆରମ୍ଭ କରିଦେଉଥିଲେ । ସେ ଆଶ୍ରମରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଇଥିଲେ । ଭକ୍ତମାନଙ୍କୁ କଥା କଥାରେ ଅକଥନୀୟ ମାଡ଼ ଦିଆଯାଉଥିଲା । ଫଳରେ ଭକ୍ତମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ।

ହଠାତ୍ ଦିନେ କିଛି ଲୋକ ଲୁଚି ଛପି ଫେରାର ହୋଇ ଯାଇ ଆମରିକାର ଜଣେ ସାଂସଦ ଲିୟୋ ରିୟାନଙ୍କୁ ଜୋନ୍ସଙ୍କ କଳାକାରନାମା ବିଷୟରେ କହିଦେଇଥିଲେ । ଏହାପରେ ୧୯୭୮ ନଭେମ୍ବର ୧୭ରେ ରିୟାନ ଆଶ୍ରମକୁ ଯାଇ ଦେଖନ୍ତି ତ ସବୁକିଛି ଠିକଠାକ ଥିଲା । ତେଣୁ ସେ ଫେରି ଆସିଥିଲେ । ମାତ୍ର ତା’ ପରଦିନ ରିୟାନ ପୁନର୍ବାର ଆଶ୍ରମ ଯାଇ ଜୋନ୍ସଙ୍କ ବିଷୟରେ ସବୁକିଛି ଜାଣିପାରିଥିଲେ । ତେବେ ଜୋନ୍ସ ଏକଥା ଜାଣିବା ପରେ ସାଂସଦଙ୍କ ସହିତ ୪ ଜଣଙ୍କୁ ହତ୍ୟା କରିଦେଇଥିଲେ ।

ସାଂସଦଙ୍କ ମୃତ୍ୟୁ ଖବର ଆମେରିକା ନିକଟରେ ପହଞ୍ଚିବ ଏହି ସନ୍ଦେହ ଜୋନଙ୍କ ମନରେ ରହିଥିଲା । ତେଣୁ ସେ ତାଙ୍କ ଭକ୍ତମାନଙ୍କୁ ଏକତ୍ରିତ କରି ଭାଷଣ ଦେବା ଆରମ୍ଭ କରିଥିଲେ । ଆମେରିକୀୟ ସୈନିକଙ୍କ ହାତରେ ମରିବା ଅପେକ୍ଷା ନିଜେ ନିଜର ଜୀବନ ନେବା ଶ୍ରେୟସ୍କର ବୋଲି ସେ ଭକ୍ତଙ୍କ ମନରେ ଥୋପି ଦେଇଥିଲେ । ଏହାପରେ ଧର୍ମଗୁରୁ ଜୋନ୍ସଙ୍କ ଆଦେଶ ମୁତାବକ ସମସ୍ତ ଭକ୍ତମାନେ ଏକସଙ୍ଗେ ଆତ୍ମହତ୍ୟା କରିଦେଇଥିଲେ । ସମସ୍ତଙ୍କ ପାଇଁ ଆଶ୍ରମ ପରିସରରେ ଏକ ବଡ଼ ପ୍ଲେଟରେ ବିଷ ଜୁସ୍ ପ୍ରସ୍ତୁତ କରାଯାଇଥିଲା । ଯେଉଁମାନେ ଏହାକୁ ପାନ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ସେମାନଙ୍କୁ ବିଷ ଇଞ୍ଜେକସନ ଦେଇ ମାରି ଦିଆଯାଇଥିଲା । ନିଜେ ଜୋନ୍ସ ତାଙ୍କର ସାଥୀଙ୍କ ଦ୍ୱାରା ଗୁଳି ଦ୍ୱାରା ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.