ଗୋଲ୍ଡ ଜମାକାରୀଙ୍କ ମୃତ୍ୟୁ ଓ ଅର୍ଥ ଉଠାଣକୁ ନେଇ ବଦଳିଲା ନିୟମ: ଜାଣନ୍ତୁ କ’ଣ କହିଲା RBI

ନୂଆଦିଲ୍ଲୀ: ଗୋଲ୍ଡ ଡିପୋଜିଟ୍ ସ୍କିମରେ ନିବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଏଣିକି ଜମାକାରୀଙ୍କ ମୃତ୍ୟୁ ପରେ ଲକ ଇନ୍ ପିରିୟଡ ପୂର୍ବରୁ ଟଙ୍କା ଉଠାଇ ପାରିବେ ପରିବାରବର୍ଗ । ପୂର୍ବରୁ ଏହି ସ୍କିମରେ ୩ ଓ ୫ ବର୍ଷର ଲକ ଇନ୍ ପିରିୟଡ୍ ପୂର୍ବରୁ ଟଙ୍କା ଉଠାଇବାର ନିୟମ ନଥିଲା । ନୂଆ ନିୟମ ଅନୁଯାୟୀ, ଯଦି କୌଣସି ଜମାକାରୀଙ୍କ ମୃତ୍ୟୁ ଘଟେ, ତେବେ ସେ କ୍ଷେତ୍ରରେ ପରିବାର ସଦସ୍ୟମାନେ କିଛି ସୁଧ ଛାଡ଼ି ଜମାରାଶି ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠାଇ ପାରିବେ ।

ଯେଉଁ କ୍ଷେତ୍ରରେ ଲକ ଇନ୍ ପିରିୟଡ୍ ୩ ବର୍ଷ ହୋଇଥିବ, ସେ କ୍ଷେତ୍ରରେ ୨.୨୫ ସୁଧ ମିଳିଥାଏ । ତେବେ ଏଣିକି ଜମାରାଶି ୬ ମାସ ମଧ୍ୟରେ ଉଠାଇଲେ କୌଣସି ସୁଧ ମିଳିବ ନାହିଁ । ଏକ ବର୍ଷ ମଧ୍ୟରେ ଟଙ୍କା ଉଠାଇଲେ ଜମାକାରୀଙ୍କୁ ୨.୨୫ ବଦଳରେ ୦ରୁ ୧.୨୫ ପ୍ରତିଶତ ମଧ୍ୟରେ ସୁଧ ମିଳିବ । ୧ ବର୍ଷରୁ ଦୁଇ ବର୍ଷ ମଧ୍ୟରେ ଉଠାଇଲେ ତାହା ୧ ପ୍ରତିଶତ ହ୍ରାସ ପାଇବ । ସେହିପରି ୨ରୁ ୩ ବର୍ଷ ମଧ୍ୟରେ ଉଠାଇଲେ ସୁଧ ଦର ୦.୭୫ ପ୍ରତିଶତ ହ୍ରାସ ପାଇବ । ୫ ବର୍ଷ ପିରିୟଡ୍ କ୍ଷେତ୍ରରେ ସାଧାରଣତଃ ସୁଧ ଦର ୨.୫୦ ପ୍ରତିଶତ ମିଳିଥାଏ । ଏକ ବର୍ଷ ମଧ୍ୟରେ ଉଠାଇଲେ କୌଣସି ସୁଧ ମିଳିବ ନାହିଁ । ୧ରୁ ୨ ବର୍ଷ ମଧ୍ୟରେ ଉଠାଇଲେ ସୁଧ ଦର ୧ ପ୍ରତିଶତ ହ୍ରାସ ପାଇବ । ୨ରୁ ୩ ବର୍ଷ ମଧ୍ୟରେ ଉଠାଇଲେ ସୁଧ ଦର ୦ରୁ ୦.୭୫ ପ୍ରତିଶତ, ୩ରୁ ୫ ବର୍ଷ ମଧ୍ୟରେ ଉଠାଇଲେ ସୁଧ ଦର ୦.୨୫ ପ୍ରତିଶତ ହ୍ରାସ ପାଇବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଘୋଷଣା କରାଯାଇଛି ।