ନୂଆଦିଲ୍ଲୀ:ବିଶ୍ୱ ବଜାରରେ ଅସ୍ଥିରତା ହେତୁ ଗତ ଦୁଇ ଦିନ ହେବ ସୁନା ଏବଂ ରୂପା ଦର ବୃଦ୍ଧି ପାଉଥିବା ବେଳେ ଆଜି ଏହା ଉପରେ ରୋକ ଲାଗିଛି । ଅନ୍ତ ରାଷ୍ଟ୍ରୀୟ ବଜାରରେ ସୂନା ଦର ୧.୨୨ ପ୍ରତିଶତ ହ୍ରାସ ପାଇଛି । ଫଳରେ ଭାରତୀୟ ବଜାର ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ମଲ୍ଟିକମୋଡିଟି ଏକ୍ସଚେଞ୍ଜ(MCX)ରେ ଆଜି ସୂନା ମୁଲ୍ୟ ୦.୫୧ ପ୍ରତିଶତ ହ୍ରାସ ପାଇଥିବା ବେଳେ ରୂପାର ମୂଲ୍ୟ ୦.୭୪ ପ୍ରତିଶତ ହ୍ରାସ ପାଇଛି ।
ମଲ୍ଟିକମୋଡିଟି ଏକ୍ସଚେଞ୍ଜ(MCX)ରେ ୧୦ ଗ୍ରାମ ୨୪ କ୍ୟାରେଟ ଶୁଦ୍ଧ ସୁନାର ମୂଲ୍ୟ ୨୫୬ ଟଙ୍କା ହ୍ରାସ ପାଇ ୫୦,୦୨୫ ଟଙ୍କାରେ ପହଞ୍ଚିଛି । ଏହାପୂର୍ବରୁ ଆଜି ସକାଳୁ ସୁନା ୫୦,୨୦୭ ଟଙ୍କାରେ ବେପାର ଆରମ୍ଭ ହୋଇଥିଲା । କିନ୍ତୁ କିଛି ସମୟ ପରେ ଚାହିଦା ହ୍ରାସ ହେବାରୁ ଏହା ୫୦,୦୦୭ କୁ ଖସି ଆସିଥିଲା । କିନ୍ତୁ ଏହାପରେ ଟିକେ ଚାହିଦା ବୃଦ୍ଧି ହେବାରୁ ଏହା ପୁଣି ପୂର୍ବ ଦାମକୁ ବୃଦ୍ଧି ପାଇ ୫୦,୦୨୫ରେ ରହିଛି ।
ସୁନା ବ୍ୟତୀତ ଆଜି ରୂପା ମୂଲ୍ୟରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ରୂପାର ମୂଲ୍ୟ ୩୯୨ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୫୨,୭୫୪ ଟଙ୍କାରେ ପହଞ୍ଚିଛି । ଏହାପୂର୍ବରୁ ଆଜି ସକାଳୁ ରୂପା ୫୨,୮୭୨ ଟଙ୍କାରୁ କାମ ଆରମ୍ଭ ହୋଇଥିବାବେଳେ ଖୁବଶୀଘ୍ର ଏଥିରେ ହ୍ରାସ ଦେଖାଯାଇଥିଲା । ଫଳରେ ଏହାର ମୂଲ୍ୟ ୫୨,୬୩୭କୁ ଖସି ଆସିଥିଲା । କିନ୍ତୁ ଏହାପରେ ସାମାନ୍ୟ ଚାହିଦା ବୃଦ୍ଧି ହେତୁ ବର୍ତ୍ତମାନ ରୂପାର ମୂଲ୍ୟ ୫୨,୭୫୪ ଟଙ୍କା ରହିଛି ।
ସେହିପରି ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି । ଆଜି ସୁନାର ମୂଲ୍ୟ ୧.୨୨ ପ୍ରତିଶତ ହ୍ରାସ ହୋଇ ୧୬୯୩.୦୫ ଡଲାରରେ ପହଞ୍ଚିଛି। ସେହିଭଳି ଆଜି ଅନ୍ତର୍ଜାତୀୟ ବଜାରରେ ରୂପା ର ସ୍ପଟ୍ ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଆଜି ରୂପା ୧.୯୪ ପ୍ରତିଶତ ହ୍ରାସ ସହିତ ୧୭.୮୬ ଡଲାରରେ କାରବାର କରୁଛି।