ଖୁସି ଖବର, ଏହିଦିନ ଆରମ୍ଭ ହେବ IPL-2025: ୩ ବର୍ଷ ପାଇଁ ଜାରି ହେଲା Schedule

ନୂଆଦିଲ୍ଲୀ: ଆଇପିଏଲ ମେଗା ଅକ୍ସନକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ଅକ୍ସନରେ କେଉଁ ଦଳ କେଉଁ ଖେଳାଳିଙ୍କୁ ସାମିଳ କରିବ ସେ ନେଇ ଚାଲିଛି । ତେବେ ଏହା ଭିତରେ ଆଇପିଏଲ-୨୦୨୫କୁ ନେଇ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ଆଇପିଏଲ-୨୦୨୫ର ସିଡ୍ୟୁଲ ଜାରି ହୋଇଛି । କେବଳ ଆଇପିଏଲ-୨୦୨୫ ନୁହେଁ, ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ସିଡ୍ୟୁଲ ଜାରି ହୋଇଥିବା ବେଳେ କ୍ରିକେଟପ୍ରେମୀଙ୍କ ପାଇଁ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି । ମାର୍ଚ୍ଚ ମାସରୁ ଆରମ୍ଭ ହେବ ଆଇପିଏଲ-୨୦୨୫ ସଂସ୍କରଣ । ଏ ନେଇ ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ଆଇପିଏଲ-୨୦୨୫ ମାର୍ଚ୍ଚ ୧୪ ତାରିଖରେ ଆରମ୍ଭ ହେଉଥିବା ବେଳେ ଏହି ସିଜନର ଫାଇନାଲ ମ୍ୟାଚ ମେ’ ୨୫ ତାରିଖରେ ଖେଳାଯିବ । ଏହାବ୍ୟତୀତ ଆଇପିଏଲ-୨୦୨୬ ଏବଂ ଆଇପିଏଲ-୨୦୨୭ ପାଇଁ ମଧ୍ୟ ସିଡ୍ୟୁ ଜାରି ହୋଇସାରିଛି । ଆଇପିଏଲ-୨୦୨୬ ସଂସ୍କରଣ ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଏହା ମେ’ ୩୧ ତାରିଖରେ ଶେଷ ହେବ । ଏହାପରେ ୨୦୨୭ ମସିହାରେ ମାର୍ଚ୍ଚ ୧୪ ତାରିଖରେ ଆରମ୍ଭ ହେବ ହାଇ ଭେଲଟେଜ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଏବଂ ମେ’ ୩୦ ତାରିଖରେ ଏହି ସିଜନର ଫାଇନାଲ ମ୍ୟାଚ୍ ଖେଳାଯିବ । ତେବେ ଆସନ୍ତା ୩ଟି ସିଜନର ସିଡ୍ୟୁଲ ପ୍ରତ୍ୟେକ ଫ୍ରାଞ୍ଚାଇଜିକୁ ପଠାଇ ଦିଆଯାଇଛି । ଖୁବଶୀଘ୍ର ଏ ତାରିଖ ସମ୍ପର୍କରେ ସ୍ପଷ୍ଟ ଘୋଷଣା କରାଯିବ ।

ସୂଚନା ଅନୁସାରେ, ଏହି ସିଜନରେ ମଧ୍ୟ ଗତ ସିଜନ ପରି ମୋଟ ୭୪ଟି ମ୍ୟାଚ ଖେଳାଯିବ । କିନ୍ତୁ ଆଗାମୀ ସିଜନରେ ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍ ସଂଖ୍ୟା(୭୪) ବୃଦ୍ଧି କରାଯାଇପାରେ । ଆଇପିଏଲ-୨୦୨୬ରେ ୮୪ଟି ମ୍ୟାଚ ଆୟୋଜନ କରିବାର ଯୋଜନା ରହିଛି ଏବଂ ଆଇପିଏଲ-୨୦୨୭ରେ ଏହି ସଂଖ୍ୟା ୯୪କୁ ବୃଦ୍ଧି ହୋଇପାରେ । ମ୍ୟାଚ ସଂଖ୍ୟା ବଢିବାର କାରଣ ମିଡିଆ ରାଇଟ୍ସ ହୋଇପାରେ ବୋଲି ଆଶା କରାଯାଉଛି । ତେବେ ଆଗାମୀ ୩ଟି ସିଜନ ଖେଳିବା ପାଇଁ ଆଇସିସିର ସଦସ୍ୟ ଥିବା ସମସ୍ତ ଦଳ ନିଜ ଖେଳାଳିଙ୍କୁ ଅନୁମତି ଦେଇସାରିଛି ।