ଆସିଲା ଗୁଗୁଲର ନୂଆ ଖବର ପ୍ଲାଟଫର୍ମ ‘ନ୍ୟୁଜ୍ ଶୋକେସ୍’

ଭାରତର ୩୦ ଖବର ପ୍ରକାଶନ ସଂସ୍ଥା ହୋଇଛନ୍ତି ସହବନ୍ଧିତ

ନୂଆଦିଲ୍ଲୀ: ହାତ ପାଅନ୍ତାରେ ମୋବାଇଲ୍ ଫୋନ୍ ଆଉ ନେଟ୍ କନେକ୍ସନ୍ ଥିଲେ ସାରା ବିଶ୍ୱର ଖବର ଜଣେ ଚୁଟକିରେ ପାଇପାରୁଛି । ଇଣ୍ଟରନେଟ୍, ସେଲୁଲାର୍, ଡିଜିଟାଲ୍ ଆଦି ବିଶ୍ୱସ୍ତରୀୟ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଗୁଗୁଲ୍ ଏକ ପ୍ରମୁଖ ସର୍ଚ୍ଚ ଇଞ୍ଜିନ୍ ହୋଇସାରିଛି । ଏହି କ୍ରମରେ ଦିନକୁ ଦିନ ସମାଜ ଅଭିମୁଖୀ ଓ ଜନପ୍ରିୟ ହେବା ପାଇଁ ଗୁଗୁଲ୍ ନିରନ୍ତର ଏହାର ସେବାରେ ନୂତନତ୍ୱ ଆଣୁଛି । ଠିକ୍ ସେହିପରି ଖବର ଜଗତ ପାଇଁ ଆଉ ଏକ ନୂଆ ଶୋ’କେସ୍ ଆଣିଛି ଗୁଗୁଲ୍ ।

ପୂର୍ବରୁ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ରେ ନିଉଜ୍ ସେକ୍ସନ୍ ବା ଖବର ବିଭାଗ ରହିଥିଲେ ମଧ୍ୟ ଏକ ଖବର ସହ ସମ୍ପୃକ୍ତ ସବିଶେଷ ତଥ୍ୟ ଓ ଅଭିଜ୍ଞମାନଙ୍କ ପରାମର୍ଶ ପାଇବାକୁ ହେଲେ ଅନ୍ୟତ୍ର ଖୋଜିବାକୁ ପଡୁଥିଲା । ଯାହାକି ବର୍ତ୍ତମାନ ଆଉ ସେଭଳି ସମସ୍ୟା ରହିବ ନାହିଁ । ଜଣେ କୌଣସି ଖବରକୁ ଆସେସ୍ କରିବାବେଳେ ସେ ସମ୍ପର୍କିତ ଅନ୍ୟ ଖବରର ସୂତ୍ର, ଖବର ସମ୍ପର୍କିତ ଏକ୍ସପର୍ଟମାନଙ୍କ ମତ ଓ ଆଲୋଚନା ଆଦି ସବୁକିଛି ଗୋଟିଏ ପେଜ୍ରେ ପାଇପାରିବ । ଏଥିପାଇଁ ଭାରତର ପ୍ରମୁଖ ୩୦ ଖବର ପ୍ରକାଶନ ସହ ହାତ ମିଳାଇଥିବାବେଳେ ୫୦ ହଜାର ସାମ୍ବାଦିକଙ୍କୁ ନୂଆ ବୈଷୟିକ ସୂତ୍ର ପାଇଁ ତାଲିମ୍ ଦେବାକୁ ଯୋଜନା ଚଳାଇଛି ।

ସୂଚନା ଅନୁସାରେ ଗୁଗୁଲ୍ ମଙ୍ଗଳବାର ଭାରତରେ ନିଉଜ୍ ପାଇଁ ନୂଆ ପ୍ଲାଟଫର୍ମ ଉନ୍ମୋଚନ କରିଛି । କରୋନା ମହାମାରୀର ଦ୍ୱିତୀୟ ତରଙ୍ଗରେ ଦେଶ କଲବଲ ହେଉଥିବାବେଳେ ଦେଶବାସୀ ଭୁଲ୍ ସୂଚନା ପାଇବାରୁ ସମସ୍ୟା ଆହୁରି ବଢ଼ି ଯାଉଛି । ଗୁଜବ ବା ମିଥ୍ୟା ଖବର ଲାଗି ଲୋକଙ୍କ ମନରେ ଅଯଥା ଭୟ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ମହାମାରୀର ଘଡ଼ିସନ୍ଧି ମୁହୂର୍ତ୍ତରେ ଗୁଗୁଲ୍ ଆରମ୍ଭ କରିଥିବା ନୂଆ ପ୍ଲାଟଫର୍ମ ଖୁବ୍ ସହାୟକ ହେବ ବୋଲି ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି । ଉଲ୍ଲେଖଯୋଗ୍ୟ ଯେ କୋଭିଡ୍ ମହାମାରୀ ଓ ଏହାକୁ ନେଇ ଆବଶ୍ୟକ ବେଡ୍, ଅକ୍ସିଜେନ୍ ଓ ଅନ୍ୟାନ୍ୟ ସାମଗ୍ରୀ ସମ୍ପର୍କରେ ସୋସିଆଲ୍ ମିଡିଆରେ ଅନେକ ମିଥ୍ୟା ପ୍ରଚାର ହେଉଛି । ଏହାକୁ ନେଇ ଅନେକ ସମୟରେ ସରକାର ମଧ୍ୟ ଚିନ୍ତାରେ ପଡ଼ିଯାଉଛନ୍ତି । ତେବେ ଗୁଗୁଲ୍ ପ୍ଲାଟଫର୍ମ ସତ୍ୟ ଓ ନିରପେକ୍ଷ ଖବର ପ୍ରସାରଣ ପାଇଁ ବଦ୍ଧପରିକର ଏବଂ ଏହି ନୂଆ ପ୍ଲାଟଫର୍ମ ଦେଶବାସୀଙ୍କୁ ଖୁବ୍ ସହାୟ ହୋଇପାରିବ ବୋଲି ଗୁଗୁଲ୍ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।

ଦେଖନ୍ତୁ କଣ ଏହି ନୂଆ ଗୁଗୁଲ୍ ନ୍ୟୁଜ୍ ପ୍ଲାଟଫର୍ମ: