fbpx

ନବ ଦାସ ହତ୍ୟା ମାମଲା: ଗୋପାଳର ହେବ ନାର୍କୋ ଟେଷ୍ଟ, JMFC କୋର୍ଟ ଦେଲେ ଅନୁମତି

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଗତକାଲି ଘଟଣାସ୍ଥଳକୁ ଗୋପାଳକୁ ନିଆଯାଇ ସିନ୍ ରିକ୍ରିଏସନ୍ କରାଯାଇଥିଲା । ଏହାରି ମଧ୍ୟରେ ଖବର ମିଳୁଛି କି, ପୁଣି ୫ ଦିନିଆ ରିମାଣ୍ଡରେ ଯିବ ଗୋପାଳ । ତୃତୀୟ ଦଫାରେ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ଏହା ସହ ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି । ଉଭୟ ଟେଷ୍ଟ ପାଇଁ ସହମତ ଥିବା କୋର୍ଟରେ କହିଛନ୍ତି ଅଭିଯୁକ୍ତ ଗୋପାଳ । ୫ ଦିନିଆ ରିମାଣ୍ଡ ଓ ଟେଷ୍ଟ କରିବାକୁ ଅନୁମତି ଦେଇଛନ୍ତି ଜେଏମଏଫସି କୋର୍ଟ ।

ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତମାସ ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଂଚାସୀନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଏହି ଘଟଣାରେ ଅଭିଯୁକତ ଏଏଏସ୍‌ଆଇ ଗୋପାଳକୃଷ୍ଣଙ୍କୁ ପୁଲିସ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଏପର୍ଯ୍ୟନ୍ତ ୩ଟି ଟିମ୍‌ ଗଠନ କରିଛି। ଏହାରି ମଧ୍ୟରେ ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନ ଓ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ରାଜ୍ୟ ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ବଦଳି ହୋଇଛି।

ତେବେ ନବଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି, ଏହା କେତେଦୂର ସତ୍ୟ ତାହା ଆଗାମୀ ଦିନରେ ତଦନ୍ତରୁ ସ୍ପଷ୍ଟ ହୋଇଯିବ । ମାତ୍ର ହତ୍ୟା ପଛରେ ରହିଥିବା ଏହି ନେତା ଜଣଙ୍କ କିଏ ତାହାକୁ ନେଇ ଏବ ଚାରିଆଡ଼େ ବେଶି ଚର୍ଚ୍ଚା ହେଉଛି । ଏହି ହତ୍ୟା ଷଡ଼ଯନ୍ତ୍ର ପଛରେ ବିରୋଧୀ ଦଳର ଜଣେ ନେତାଙ୍କର ହାତ ରହିଥିବା ବିଜେଡିର ଜଣେ ନେତା ଖୋଲାଖୋଲି ଅଭିଯୋଗ କରିଛନ୍ତି । ନବଙ୍କ ହତ୍ୟା ଏକ ସାଧାରଣ ହତ୍ୟା ନୁହେଁ, ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହତ୍ୟା ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ନବଙ୍କ ହତ୍ୟା ପଛରେ ବିଜେଡିର ଜଣେ ଉପକୂବର୍ତ୍ତୀ ଅଞ୍ଚଳର ନେତାଙ୍କ ହାତ ଥିବା ନେଇ ଖୋଲାଖୋଲି ଭାବେ ଗଣମାଧ୍ୟମରେ ମନ୍ତବ୍ୟ ଦେଇଛନ୍ତି ବିଜେପିର ଜଣେ ନେତା । ତେଣୁ ଏଠାରେ ପ୍ରଶ୍ନ ଉଠୁଛି, କିଏ କହୁଛି ସତ? ବିଜେପି ନା କଂଗ୍ରେସ? ଆଗାମୀ ଦିନରେ ସତ ପଦାକୁ ଆସିବ ବୋଲି ଓଡ଼ିଶାବାସୀ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.