ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏବଂ ୟୁଟ୍ୟୁବ୍ ର କିଛି ଚ୍ୟାନେଲ ଏବଂ ହ୍ୟାଣ୍ଡେଲ ବିରୋଧରେ ଆଇଟି ମନ୍ତ୍ରଣାଳୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଜାଲ୍ କ୍ୟାବିନେଟ୍ ବୈଠକ ସହ ଜଡିତ ବିବାଦୀୟ କଣ୍ଟେଣ୍ଟ୍ ପ୍ରକାଶ କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଅଭିଯୋଗ ଆସିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଗତବର୍ଷ ଡିସେମ୍ବରରେ ମଧ୍ୟ ବହୁ ସଂଖ୍ୟାରେ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।
ସୂଚନା ଅନୁଯାୟୀ, ମନ୍ତ୍ରାଳୟ ୭୩ ଟି ଟ୍ୱିଟର ହ୍ୟାଣ୍ଡେଲ, ଚାରିଟି ୟୁଟ୍ୟୁବ ଚ୍ୟାନେଲ ଏବଂ ଇନଷ୍ଟାଗ୍ରାମରେ ଏକ ଗେମ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରିପୋର୍ଟରେ କୁହାଯାଇଛି ଯେ, ଏହିସବୁ ହ୍ୟାଣ୍ଡେଲ୍ ପାକିସ୍ତାନ ସହ ଜଡିତ । ଉତ୍ତେଜନାମୂଳକ ଭିଡିଓ ବିଷୟରେ ସୂଚନା ପ୍ରଥମେ ଚନ୍ଦ୍ରଶେଖରଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିଲା, ଯେଉଁଠାରେ ଜଣେ ୟୁଜର୍ ପ୍ରଧାନମନ୍ତ୍ରୀଙ୍କୁ ଦେଖାଉଥିବା ଏକ ହିଂସାତ୍ମକ ଭିଡିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।
ଚନ୍ଦ୍ରଶେଖର କହିଛନ୍ତି ଯେ, ଫେକ୍ ଓ ହିଂସାତ୍ମକ ଭିଡିଓ ପବ୍ଲିକ୍ ଡୋମେନ୍ ଡିସେମ୍ବର ୨୦୨୦ରୁ ରହିଛି । ୟୁଜର୍ ଙ୍କ ଅନୁରୋଧ ପରେ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା ବିରୋଧରେ ପଦକ୍ଷେପ ନିଆଯିବା ଆରମ୍ଭ ହୋଇଛି । ହିଂସାତ୍ମକ କଣ୍ଟେଣ୍ଟ ପୋଷ୍ଟ କରିଥିବା ସୋସିଆଲ ମିଡିଆ ହ୍ୟାଣ୍ଡେଲ ଗୁଡ଼ିକୁ ବ୍ଲକ୍ କରିଦିଆଯାଇଛି ।