ସରକାରୀ କାର୍ଯ୍ୟାଳୟର ସମୟରେ ହେବ ପରିବର୍ତ୍ତନ, ଟ୍ରାଫିକ୍ ଜାମରୁ ମୁକ୍ତି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ସ୍ତର ସାଧାରଣ ଜନତାଙ୍କ ପାଇଁ ସମସ୍ୟା ପାଲଟିଛି । ଏଥିମଧ୍ୟରେ ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଏବଂ ଟ୍ରାଫିକ୍ ଜାମରୁ ମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଆତିଶୀ ସରକାରୀ କାର୍ଯ୍ୟାଳୟର ସମୟରେ ପରିବର୍ତ୍ତନ କରିବା ପାଇଁ ଘୋଷଣା କରିଛନ୍ତି । ଏହା ଦ୍ୱାରା ଦିଲ୍ଲୀର ଟ୍ରାଫିକ ସମସ୍ୟା କିଛି ଦୂର ପର୍ଯ୍ୟନ୍ତ ହ୍ରାସ ପାଇବ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଦିଲ୍ଲୀ ନଗର ନିଗମ କାର୍ଯ୍ୟାଳୟ ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା, କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଏବଂ ଦିଲ୍ଲୀ ସରକାରଙ୍କ କାର୍ଯ୍ୟାଳୟ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ।’ କହିରଖୁଛୁ ଦିଲ୍ଲୀରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଶୁକ୍ରବାର ସକାଳ ୮ଟାରୁ GRAPର ୩ଟି ଷ୍ଟେଜ୍ ଲାଗୁ କରାଯାଇଛି । ଏମିତିରେ ଦିଲ୍ଲୀରେ ୧୦୬ଟି ଅତିରିକ୍ତ କ୍ଲଷ୍ଟର ବସ୍ ଏବଂ ଟ୍ରେନ୍ ଅତିରିକ୍ତ ୬୦ ଥର ଚଳାଚଳ କରିବ ବୋଲି ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଲ ରାୟ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଘୋଷଣା ପୂର୍ବରୁ ସୂଚନା ଦେଇଥିଲେ । ଶୁକ୍ରବାର ଦିଲ୍ଲୀର AQI ୪୧୧ ରହିଥିଲା ଯାହା କି ଗମ୍ଭୀର ଶ୍ରେଣୀରେ ଆସୁଛି । ଦିଲ୍ଲୀରେ ଇ-ବସ୍ ସେବା ଏବଂ ସିଏନଜି ଚାଳିତ ବସ ବ୍ୟତୀତ ଆନ୍ତରାଜ୍ୟ ବସ୍ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । ଏହା ବ୍ୟତୀତ ବିଏସ୍ ୩ ପେଟ୍ରୋଲ, ବିଏସ୍ ୪ ଡିଜେଲ ୪ ଚକିଆ ବାହନ ଉପରେ କଟକଣା ଲାଗିଛି ।