ବୁଲା ଗୋରୁଙ୍କ ଯତ୍ନ ନେଲେ ସରକାର ଦେବେ 20 ହଜାର, ଗୋଶାଳା ପାଇଁ ମିଳିବ 52 ଲକ୍ଷ

ଭୁବନେଶ୍ବର ସମେତ ଅନେକ ପୌରାଞ୍ଚଳକୁ ଗୋରୁମୁକ୍ତ କରିବା ପାଇଁ ଲକ୍ଷ୍ୟ । ଯତ୍ନ ନେଲେ ବାର୍ଷିକ 20 ହଜାର ସହାୟତା ।

ଭୁବନେଶ୍ବର: ବୁଲା ଗୋରୁଙ୍କ ଯତ୍ନ ନେବା ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର । ଏମାନଙ୍କ ଯତ୍ନ ନେଲେ ବାର୍ଷିକ 20 ହଜାର ସହାୟତା ଦେବେ । ଏହାସହିତ ଗୋଶାଳା ନିର୍ମାଣ କରିବାକୁ ମଧ୍ୟ 52 ଲକ୍ଷ ମିଳିବ । ଏନେଇ ସୂଚନା ଦେଇଛନ୍ତି ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ଭୁବନେଶ୍ବର ସମେତ ଅନେକ ପୌରାଞ୍ଚଳକୁ ଗୋରୁମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବାହାରେ ବୁଲୁଥିବା ଗାଈକୁ ଉଦ୍ଧାର କରାଯାଇ ଗୋଶାଳାରେ ଆଣି ରଖାଯିବ ।

ମନ୍ତ୍ରୀ କହିଛନ୍ତି, ରାଜଧାନୀକୁ ଗାଇଗୋରୁ ମୁକ୍ତ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ତଥାପି ମାଳମାଳ ଗାଇଗୋରୁ ରାସ୍ତାରେ ବୁଲୁଛନ୍ତି । ଆଉ ଦିନ କେଇଟା ପରେ ପ୍ରବାସୀ ଭାରତୀୟଙ୍କ ସମ୍ମିଳନୀ ରହିଛି । ତେବେ ତା ପୂର୍ବରୁ ବୁଲା ଗାଈଗୋରୁଙ୍କୁ ହଟାଇବା ପାଇଁ ବିଏମସିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ବୁଲା ଗୋରୁଙ୍କୁ ଥଇଥାନ ପ୍ରଚେଷ୍ଟା ସଫଳ ହୋଇପାରୁଛି କି ନାହିଁ ତାହା ଦେଖିବା ପାଇଁ ବାକି ରହିଲା ।