fbpx

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : କହିଲେ – ‘ପିଲାଙ୍କ ଶିକ୍ଷାଗତ ସ୍ୱାର୍ଥର ସୁରକ୍ଷା ସରକାରଙ୍କ ଦାୟିତ୍ୱ’

କଟକ : ରାଜ୍ୟ ସରକାର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ସ୍ୱାର୍ଥର ସୁରକ୍ଷା ସହ ସେମାନଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ବାଧ୍ୟ ବୋଲି ସମ୍ବିଧାନର ନିୟମ ରହିଛି । ଛାତ୍ରଛାତ୍ରୀଙ୍କ ଯେଉଁ ଶିକ୍ଷାଗତ ଅଧିକାର ରହିଛି ତାହାକୁ ମଧ୍ୟ ସରକାର ସୁନିଶ୍ଚିନ୍ତ କରିବା ଆବଶ୍ୟକ । ଏକ ଘରୋଇ ବିଦ୍ୟାଳୟକୁ ରାଜ୍ୟ ସରକାର ନିଜ ହାତକୁ ନେବାକୁ ମନା କରିଦେବା ମାମଲାରେ ହାଇକୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ମୟୂରଭଞ୍ଜର ପୋଖରୀସାହି ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ବିଦ୍ୟାଳୟକୁ ନିଜ ହାତକୁ ନେବା ଲାଗି ରାଜ୍ୟ ସରକାର ତିନି ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଛାତ୍ରଛାତ୍ରୀ କିମ୍ବା ଭିତ୍ତିଭୂମିର ଦାୟିତ୍ୱ ନୁହେଁ, ଶିକ୍ଷକଙ୍କ ଦାୟିତ୍ୱ ମଧ୍ୟ ସରକାରଙ୍କର ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରୁ ଜଣାଯାଇଛି ଯେ, ୧୯୮୯ ମସିହାରେ ଏହି ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ସ୍କୁଲ୍ ମ୍ୟାନେଜ୍ମେଣ୍ଟ ଦ୍ୱାରା ଆବେଦନକାରୀମାନଙ୍କୁ ସହକାରୀ ଶିକ୍ଷକ ନିଯୁକ୍ତି ମିଳିଥିଲା । ଅନୁସୂଚିତ ଜନଜାତି ପିଲା ପଢ଼ୁଥିବାରୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବିଦ୍ୟାଳୟକୁ ସରକାର ହାତକୁ ନେବା ଲାଗି ୨୦୦୧ରେ ତତ୍କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ଦେଇଥିଲେ । ପରେ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ମଧ୍ୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । କିନ୍ତୁ କୌଣସି ପଦକ୍ଷେପ ନିଆନଯିବାରୁ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ୨୦୧୦ରେ ଆବେଦନକାରୀଙ୍କ ସ୍ମାରକପତ୍ର ଉପରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

୨୦୧୩ରେ ରାଜ୍ୟ ସରକାର ଜଣାଇଥିଲେ ଯେ, ସର୍ବଶିକ୍ଷା ଅଭିଯାନରେ ସମ୍ପୂର୍ଣ୍ଣ ବିଦ୍ୟାଳୟକୁ ହାତକୁ ନେବାର ବ୍ୟବସ୍ଥା ନାହିଁ । ଯଦିଓ ଛାତ୍ରଛାତ୍ରୀ ଏବଂ ଭିତ୍ତିଭୂମିର ଦାୟିତ୍ୱ ରାଜ୍ୟ ସରକାର ନେଇପାରିବେ କିନ୍ତୁ ଶିକ୍ଷକଙ୍କ ଦାୟିତ୍ୱ ନେଇପାରିବେ ନାହିଁ । ଏହି ଆଦେଶ ବିରୋଧରେ ଆବେଦନକାରୀମାନେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଆବେଦନକାରୀମାନଙ୍କ ଅପିଲ୍କୁ ଗ୍ରହଣ କରି ଏହି ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ନିଜ ହାତକୁ ନେବାକୁ ନିର୍ଦ୍ଦେଶ ନେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଥିଲେ ।

Get real time updates directly on you device, subscribe now.