fbpx

ଗୃହରେ ରାଜ୍ୟପାଳଙ୍କ ଘୋଷଣା : ୨ ବର୍ଷରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ, ୨୦୨୯ ସୁଦ୍ଧା ୩.୫ ଲକ୍ଷରୁ…

ଭୁବନେଶ୍ୱର : ବିଧାନସଭା ଅଧିବେଶନ ଆରମ୍ଭରେ ରାଜ୍ୟପାଳ ରଘୁବର ଦାସ ଗୃହରେ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଯୁବବର୍ଗଙ୍କୁ ନିଯୁକ୍ତି ସହିତ କୃଷି, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦେବା ନେଇ ବିଶେଷ ଘୋଷଣା କରିଛନ୍ତି।

ଆସନ୍ତା ୨୦୨୯ ସୁଦ୍ଧା ରାଜ୍ୟରେ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ରାଜ୍ୟପାଳ ବିଧାନସଭାରେ ତାଙ୍କର ଅଭିଭାଷଣରେ କହିଛନ୍ତି। ଏହି କ୍ରମରେ ସାରା ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ନିରପେକ୍ଷ ଓ ସ୍ବଚ୍ଛ ଭାବରେ ୧.୫ ଲକ୍ଷ ସରକାରୀ ନିଯୁକ୍ତି ସୁନିଶ୍ଚିତ ହେବ ଆସନ୍ତା ୨ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବୀ ପୂରଣ ହେବ।

ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଜିଲା ମେଡିକାଲ୍‌ରେ ପ୍ରସୂତୀ, ଶିଶୁ ରୋଗ ବିଶେଷଜ୍ଞ ନିଶ୍ଚିତ କରିବେ ସରକାର। ବ୍ଲକ ମାନଙ୍କରେ ଥିବା ଉପକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନାଁ ‘ଆରୋଗ୍ୟ ମନ୍ଦିର’ କରାଯିବ। ପ୍ରତି ସିଏଚ୍‌ସିରେ ଗୋଟିଏ ଭ୍ରାମ୍ୟମାଣ ୟୁନିଟ୍‌ ରହିବ।

ସେହିପରି ଆଗାମୀ ସମୟରେ ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବ। ଏହା ସମସ୍ତ ଯୋଗ୍ୟ ଓଡ଼ିଶାବାସୀଙ୍କ ପାଇଁ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଦେବ ଏବଂ ଗର୍ଭବତୀଙ୍କୁ ପୁଷ୍ଟିକର ଆବଶ୍ୟକତା ପୂରଣ ପାଇଁ ଆର୍ଥିକ ସହାୟତା ମିଳିବ ବୋଲି ରାଜ୍ୟପାଳ କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୧୦ ଲକ୍ଷ ଓ ସହରାଞ୍ଚଳରେ ୫ ଲକ୍ଷ ଘର କରିବାକୁ ଲକ୍ଷ୍ୟ ରଖାଯାଇଛି । ଅଙ୍ଗନାବାଡିକୁ ମଧ୍ୟ ୨୦୩୦ ସୁଦ୍ଧା ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ । ଏଥିସହ ସରକାରୀ ବିଦ୍ୟାଳୟରେ ‘ଏଆଇ’ର ବ୍ୟବହାର କରାଯିବ ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଧାମରା, ପାରାଦୀପ, ଗୋପାଳପୁର ବନ୍ଦରର ଆଖପାଖ ଅଞ୍ଚଳରେ ନୂତନ ଶିଳ୍ପାଞ୍ଚଳର ବିକାଶ ହେବ । ଓଡିଆ ଚଳଚିତ୍ର ଶିଳ୍ପକୁ ଚଳଚଞ୍ଚଳ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି । ଏଥିସହ ଦୁଇ ବର୍ଷ ଭିତରେ ୬୫ ହଜାର ସରକାରୀ ପଦବୀ ପୂରଣ କରାଯିବ । ଶିଳ୍ପ କ୍ଷେତ୍ରରେ ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାରରୁ ଅଧିକ ଯୁବକ, ଯୁବତୀଙ୍କୁ ନିଯୁକ୍ତ କରାଯିବ ବୋଲି ରାଜ୍ୟପାଳ ନିଜର ଅଭିଭାଷଣରେ କହିଛନ୍ତି ।

Get real time updates directly on you device, subscribe now.