fbpx

ପଞ୍ଚାୟତ ନିର୍ବାଚନରେ ସରକାରୀ କର୍ମଚାରୀ କୌଣସି ଦଳକୁ ସମର୍ଥନ କରିପାରିବେ ନାହିଁ, ଅଭିଯୋଗ ଆସିଲେ ଚାକିରି ହରାଇବେ

ନୂଆଦିଲ୍ଲୀ: ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଜୋରସୋରରେ ମାତିଛନ୍ତି । ତେବେ ଏପରି ସ୍ଥଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସରକାରୀ କର୍ମଚାରୀ ଓ ସ୍ୱାୟତ୍ତ ସଂସ୍ଥାର କର୍ମଚାରୀଙ୍କୁ ନିରପେକ୍ଷ ରହିବାକୁ ସତର୍କ କରାଇଛନ୍ତି । ଏହାକୁ ଅବମାନନା କଲେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୨୮ ପ୍ରାବଧାନ ଅନୁଯାୟୀ ଚାକିରି ହରାଇବାକୁ ପଡ଼ିବ ବୋଲି ମୁଖ୍ୟ ସଚିବ ଚେତାଇ ଦେଇଛନ୍ତି । ଏନେଇ ଶ୍ରୀ ମହାପାତ୍ର ରାଜ୍ୟ ପୋଲିସ ଡିଜି, ସମସ୍ତ ବିଭାଗର ସଚିବ, ଆରଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ।

ଏହି ଆଇନ ଅନୁଯାୟୀ, ସରକାରୀ ଗାଡ଼ି, ପ୍ରଶାସନିକ କଳ ଓ କର୍ମଚାରୀ କୌଣସି ଦଳକୁ ସୁହାଇଲା ଭଳି କାର୍ଯ୍ୟ କରିପାରିବେ ନାହିଁ । ନିର୍ବାଚନ ସମାପ୍ତ ନହେବା ପର୍ଯ୍ୟନ୍ତ ସରକାରଙ୍କ ସଫଳତାର ଜୟଗାନ କରୁଥିବା କୌଣସି ବିଜ୍ଞାପନ ସରକାରୀ ପାଣ୍ଠିରୁ ଦିଆଯାଇ ପାରିବ ନାହିଁ । ସରକାରୀ ବା ସ୍ୱାୟତ ସଂସ୍ଥାର କୌଣସି କର୍ମଚାରୀ ନିର୍ବାଚନକୁ ପ୍ରଭାବିତ କରିବା ଭଳି କାର୍ଯ୍ୟ କରିପାରିବେ ନାହିଁ । ଯଦି କେହି କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଏପରି କରନ୍ତି ବା ଭୋଟକୁ ପ୍ରଭାବିତ କରନ୍ତି ତେବେ ତାଙ୍କୁ ନିଜର ଚାକିରି ହରାଇବାକୁ ପଡ଼ିବ । ଏଭଳି ଅଭିଯୋଗ ଆସିଲେ ପୋଲିସ ତୁରନ୍ତ ମାମଲା ରୁଜୁ କରି ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଆଚରଣ ବିଧି ସମସ୍ତ ସରକାରୀ, ବିଭିନ୍ନ ଉଦ୍ୟୋଗ ଓ ନିଗମ, ସମବାୟ ସଂସ୍ଥା, ସ୍ୱାୟତ୍ତ ସଂସ୍ଥା ଓ ପଞ୍ଚାୟତିରାଜ ସଂସ୍ଥାର କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.