ଭୁବନେଶ୍ୱର- ବାହୁନୀ ବାହୁନୀ କାନ୍ଦୁଛି ମାଆ । ମୋ ଝିଅକୁ ଫେରେଇ ଦିଅ । ପ୍ରଶ୍ନ କରୁଛି ଅମଣିଷ ସେହି ଲୋକଟାକୁ, ଯାହାକୁ ଖୋଜିଆଣିଥିଲେ ପରିବାର ଲୋକ ସେମାନଙ୍କ ଝିଅଟି ପାଇଁ । କାହିଁକି ମୋ ଝିଅକୁ ମାରିଦେଲ ? ମୋ ଝିଅର କଣ ଭୁଲ ଥିଲା? କିଛି ପ୍ରଶ୍ନ ଶବ୍ଦ ହୋଇ ଓଠରୁ ବାହାରୁଛି, କିଛି ହୃଦୟକୁ ବିଦାରି ଦେଉଛି ସେହି ମାଆର । ସୁନେଲି ସ୍ୱପ୍ନକୁ ନେଇ ଗତ କିଛି ମାସ ହେଲା ଖୁସି ଥିବା ମାଆର ଆଖିରୁ ବହି ଯାଉଛି ଅନବରତ ଲୁହ । କାରଣ…
କାରଣ ତା ଅଳିଅଳି ଝିଅଟି ମରିଯାଇଛି । ମରିନି ତ ତାକୁ ମାରିଦେଇଛି ସେହି ସୈତାନ, ଯାହାକୁ ଜ୍ୱାଇଁ କରିଥିବାରୁ ଦିନେ ସେ ଗର୍ବ କରୁଥିଲେ । ସରକାରୀ ଜ୍ୱାଇଁର ଶାଶୂ ବୋଲି ସଗର୍ବରେ ବାଟ ଚାଲୁଥିଲେ । ଝିଅର ସୁଖୀ ସଂସାରକୁ ନେଇ ଲୋକଙ୍କ ଆଗରେ ନିଜର ବଡିମା ଦେଖାଉଥିଲେ । ହେଲେ ଦଇବ ସହିଲା ନାହିଁ । ଯାହା ପାଇଁ ଗର୍ବ ଥିଲା ସେହି ହିଁ ତାଙ୍କ ଜୀବନରେ ଭରିଦେଲା ଜୀବନ ଜାକର ଦୁଃଖ । ଝିଅର ସୁଖୀ ସଂସାରକୁ ଦେଖି ଖୁସି ଥିବା ଏହି ମାଆର ଖୁସି ସବୁ ସୀମା ଲଙ୍ଘିଗଲା, ଯେତେବେଳେ ଜାଣିଲା ତାଙ୍କ ଝିଅ ମାଆ ହେବାକୁ ଯାଉଛି ।
ଆଉ କେଇଟା ମାସରେ ଝିଅ ସନ୍ତାନ ପ୍ରସବ କରିଥାନ୍ତି । ଆଈ ମା ଡାକ ଶୁଣିବାକୁ ଆତୁର ହୋଇଉଠିଥିବା ମାଆ ଆଜି ଛାତି ପିଟି କାନ୍ଦୁଛି, ଖୋଜି ଆଣିଥିବା ସରକାରୀ ଜ୍ୱାଇଁ ପରକୀୟା ପ୍ରୀତିରେ ବାଇଆ ହୋଇ ତାଙ୍କ ଅଲିଅଳି ଝିଅକୁ ଗୁଳି କରି ହତ୍ୟା କରିଛି । ଖାଲି ତାଙ୍କ ଝିଅ ବା ନିଜ ପତ୍ନୀକୁ ନୁହେଁ, ତା ଗର୍ଭରେ ଥିବା ନିଜ ରକ୍ତକୁ ଏ ଦୁନିଆକୁ ଆସିବା ଆଗରୁ ଆରପାରିକୁ ପଠାଇ ଦେଇଛି ।