୧୯୩୧ ମସିହା ମାର୍ଚ୍ଚ ମାସ ୨୪ ତାରିଖ ସକାଳ ୭ଟା ୩୩ ମିନିଟ୍ । ହଠାତ୍ ଭାରତମାତାର ନିଃଶ୍ୱାସ କେଇ ସେକେଣ୍ଡ ପାଇଁ ବନ୍ଦ ହୋଇଗଲା । ଲାଗୁଥିଲା ସତେ ଯେମିତି ମାଆ କୋଳରୁ ତା’ର ସନ୍ତାନକୁ କେହି ଜଣେ ସବୁଦିନ ପାଇଁ ଟାଣି ନେଉଛି । ସେ ତ କେବଳ ଗୋଟିଏ ସାମାନ୍ୟ ସନ୍ତାନ ନଥିଲା, ସେଥିଲା ଲକ୍ଷେ ବୀରଙ୍କ ମଧ୍ୟରେ ମହାବୀର । ସେଥିପାଇଁ ବୋଧେ ଦଇବ ମାତ୍ର ୨୩ ବର୍ଷରେ ଏଭଳି ଯୋଗ୍ୟ ବୀର ସନ୍ତାନକୁ ତା’ ପାଖକୁ ନେଇଯାଇଥିଲା । ହେଲେ ସେ ପରା ମାଆ, ସେ କେମିତି ସହିପାରିବ ଏଭଳି ବୀରର ବିଚ୍ଛେଦ । ଆଜି ବି ଭାରତମାତା ତା’ର ସେଇ ଯୁବ ଅମର ସହିଦ ସନ୍ତାନକୁ ଝୁରି ଝୁରି ଆଖିରୁ ଲୁହ ଝରାଉଛି । ଏହି ବୀର ଜଣଙ୍କ ଆଉ, କେହି ନୁହନ୍ତି । ସେ ହେଉଛନ୍ତି ସହିଦ ବୀର ଭଗତ ସିଂହ । ଆଜି ଭଗତ ସିଂହ ଆମ ପାଖରେ ନଥିଲେ ହେଁ, ତାଙ୍କର ଆଦର୍ଶରେ ଭାରତବର୍ଷର ହଜାର ହଜାର ଯୁବକ ତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରିନେଇଛନ୍ତି ।
୧୯୦୭ ମସିହା ସେପ୍ଟେମ୍ବର ୨୮ ତାରିଖରେ ଭଗତ ସିଂହ ପଞ୍ଜାବର ବାଙ୍ଗାରେ ଜନ୍ମଗ୍ରହଣ କରିଥିଲେ । ଭଗତ ସିଂହଙ୍କ ସହ ତାଙ୍କ ସାଥୀ ଜୟୀ ରାଜଗୁରୁ ଓ ସୁଖଦେବଙ୍କୁ ଇଂରେଜମାନେ ଲାହୋର ଜେଲରେ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ସମଗ୍ର ଭାରତବର୍ଷ ସ୍ତବ୍ଧ ହୋଇଯିବା ସହ ଯିଏ ଯୁଆଡ଼େ ଯାଉଥିଲେ ଖବରକାଗଜ ଖୋଜୁଥିଲେ ତାଙ୍କ ବିଷୟରେ ଟିକିଏ ଖବର ଜାଣିବା ପାଇଁ । ଆଜି ବି ମାଆମାନେ ସେମାନଙ୍କର ଶିଶୁଙ୍କୁ ଭଗତ ସିଂହଙ୍କ କାହାଣୀ ଶୁଣାଉଥିବାର ଦେଖିବାକୁ ମିଳୁଛି । ଭଗତ ସିଂହ ଓ ତାଙ୍କର ସାଥୀଙ୍କ ହୃଦୟରେ ଦେଶ ମାତୃକାକୁ ଇଂରେଜଙ୍କ କବଳରୁ ମୁକୁଳାଇବାର ବହ୍ନି ପ୍ରଜ୍ଜ୍ୱଳିତ ହୋଇଥିଲା । ଦେଶକୁ ସ୍ୱାଧୀନତା ପ୍ରଦାନ କରିବା ଥିଲା ଭଗତ ସିଂହଙ୍କର ଏକମାତ୍ର ଲକ୍ଷ୍ୟ । ସେ ନିଜ ଘରଦ୍ୱାର, ପରିବାର କଥା ଭୁଲି କେବଳ ଭାରତମାତା କଥା ଭାବୁଥିଲେ । ସର୍ଦ୍ଦାର ଭଗତ ସିଂହ କମ୍ ଖାଦ୍ୟ ଗ୍ରହଣ କରୁଥିବା ବେଳେ କ୍ଷୀର ପିଇବାକୁ ବହୁତ ପସନ୍ଦ କରୁଥିବା ତାଙ୍କର ପିତା କହୁଥିଲେ । ସର୍ଦ୍ଦାରଙ୍କର ଶରୀରର ବିନ୍ଦୁ ବିନ୍ଦୁ ରକ୍ତରେ ଦେଶପ୍ରେମ ଭରି ରହିଥିଲା । ତେଣୁ ତାଙ୍କୁ କାହାର ନଜର ନଲାଗିବା ପାଇଁ ଦେଶବାସୀ ପ୍ରାର୍ଥନା କରୁଥିଲେ । ୧୯୩୧ ମସିହା ୨୪ରେ ଭଗତ ସିଂହଙ୍କୁ ସତରେ ଲାଗିଯାଇଥିଲା ମୃତ୍ୟୁର ନଜର । ସେ ଚାଲିଯାଇଥିଲେ ସତ, ମାତ୍ର ଛାଡ଼ି ଯାଇଥିଲେ ଦେଶପ୍ରେମ ଓ ତ୍ୟାଗର ବହ୍ନି, ଯାହା ଆଜି ବି ଜୀବିତ ହୋଇ ରହିଛି ।