ସନଡେ ମାର୍କେଟ ଉପରେ ଗ୍ରେନେଡ ଆକ୍ରମଣ, ୧୦ରୁ ଅଧିକ ଆହତ, ମୁଖମନ୍ତ୍ରୀ ଓମାରଙ୍କ ନିନ୍ଦା

ଶ୍ରୀନଗର: ରବିବାର ଦିନ ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଥିବା ରବିବାର ବଜାର ନିକଟରେ ଥିବା ଟ୍ୟୁରିଷ୍ଟ ରିସେପ୍ସନ ସେଣ୍ଟର (ଟିଆରସି) ନିକଟରେ ଏକ ବଡ ଧରଣରର ଆତଙ୍କୀ ଆକ୍ରମଣ ହୋଇଛି । ଆତଙ୍କବାଦୀ ମାର୍କେଟ ନିକଟରେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପିଟିଆଇ ସୂଚନା ମୁତାବକ, ଏହି ଆକ୍ରମଣ ଲସ୍କର ଏ ତୋଏବାର ଜଣେ କମାଣ୍ଡୋ ସୁରକ୍ଷାବଳ ଗୁଳିରେ ନିହତ ହେବା ପରେ ଏହି ଆକ୍ରମଣ ହୋଇଛି । ଆକ୍ରମଣରେ ୧୦ ଆହତଙ୍କ ମଧ୍ୟରେ ୩ ନାବାଳକ ରହିଛନ୍ତି । ବିସ୍ଫୋରଣ ପରେ ପରେ ଘଟଣାସ୍ଥଳରେ ସୁରକ୍ଷା ବଳ, ମେଡିକାଲ ଟିମ ପହଞ୍ଚିଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ଶ୍ରୀନଗରସ୍ଥିତ ଶ୍ରୀ ମହାରାଜା ହରି ସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଆକ୍ରମଣକୁ ନେଇ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗଣମାଧ୍ୟମକୁ କହିଛନ୍ତି କି, ନିର୍ଦ୍ଦୋଶଙ୍କ ଉପରେ ଆକ୍ରମଣର କୌଣସି ଯଥାର୍ଥତା ନାହିଁ । ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ କିଛି ଦିନ ହେବ ଘାଟିର ବିଭିନ୍ନ ଅଞ୍ଚଳରେ ଆକ୍ରମଣ ଓ ଗୁଳିମାଡ ଘଟଣା ଗଣମାଧ୍ୟମର ଶିରୋନାମା ପାଲଟିଛି । ଶ୍ରୀନଗର ରବିବାର ବଜାରରେ ଗ୍ରେନେଡ ଆକ୍ରମଣ ପରି ଆଜିର ଘଟଣା ଅତ୍ୟନ୍ତ ଚିନ୍ତାଜନକ । ନିରୀହ ନାଗରିକଙ୍କୁ ଟାର୍ଗେଟ କରିବାରେ କୌଣସି ଯଥାର୍ଥତା ନାହିଁ । ଏହାକୁ ଦେଖି ସେନା ଯଥା ସମ୍ଭବ ଓ ତ୍ୱରିତ ପଦକ୍ଷେପ ନେଇ ଏହି ଆକ୍ରମଣ ରୋକିବା ଦିଗରେ କାମ କରିବେ, ଯେମିତି ସାଧାରଣ ନାଗରିକ ବିନା ଭୟରେ ସେମାନଙ୍କ ଜୀବନ ଅତିବାହିତ କରିପାରିବେ ବୋଲି କହିଛନ୍ତି ଓମାର ।

ବିଗତ କିଛି ଦିନ ହେବ ଘାଟିରେ ଆତଙ୍କୀ ଆକ୍ରମଣ ବୃଦ୍ଧି ପାଇଛି । ଶୁକ୍ରବାର ଆତଙ୍କବାଦୀ ୨ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଥିଲେ । ଉଭୟ ଶ୍ରମିକ ଉତ୍ତର ପ୍ରଦେଶର ଥିଲେ । ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ୧୮ ଅକ୍ଟୋବରକୁ ସୋପିୟା ଜିଲ୍ଲାରେ ଆତଙ୍କବାଦୀ ଜଣେ କାଶ୍ମୀର ଯୁବକଙ୍କୁ ଗୁଳିକରି ହତ୍ୟା କରିଥିଲେ । ଜଣେ ବିହାରୀ ଶ୍ରମିକକୁ ଗୁଳି ମାରିବା ବେଳେ କାଶ୍ମୀର ଯୁବକଙ୍କ ଦେହରେ ଗୁଳି ବାଜିଥିଲା । ସେହପରି ୨୦ ଅକ୍ଟୋବରକୁ ଗାନ୍ଦରବଳ ଜିଲ୍ଲାର ଗଗନଗିର ଅଞ୍ଚଳରେ ୭ ଜଣଙ୍କୁ ହତ୍ୟା କରିଥିଲେ ଆତଙ୍କୀ । ସେମାନଙ୍କ ମଧ୍ୟରେ ଜଣେ ଡାକ୍ତର ଥିଲେ । ସେହିପରି ୨୪ ତାରିଖରେ ଗୁଲମର୍ଗରେ ଆକ୍ରମଣ ହୋଇଥିଲା । ଦୁଇ ଯବାନ ସହିଦ ହୋଇଥିଲେ । ସେହିଦିନ ବଟଗୁଣ୍ଡରେ ଜଣେ ପ୍ରବାଶୀ ଶ୍ରମିକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ ।

ତେବେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ନୂଆ ସରକାର ଆସିବା ପରଠାରୁ ଆତଙ୍କୀ ଅଧିକ ସକ୍ରୀୟ ହୋଇଛନ୍ତି । ବାରମ୍ବାର ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଛି । ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ସେନା ତରଫରୁ ସର୍ଚ୍ଚ ଅପରେସନ ମଧ୍ୟ କଡା କରାଯାଇଛି । ଚଳିତ ସପ୍ତାହରେ ୩ ଆତଙ୍କୀଙ୍କୁ ସେନା ମାରିବାରେ ସକ୍ଷମ ହୋଇଛି ।