ନୂଆଦିଲ୍ଳୀ: କପଡା ବ୍ୟବସାୟୀଙ୍କୁ ବଡ ଆଶ୍ୱସ୍ତି । ଜିଏସଟି ବୃଦ୍ଧି ପାଇଁ ସରକାର ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ଖାରଜ କରି ଦେଇଛନ୍ତି । ପୂର୍ବରୁ ଜାନୁୟାରୀ ୧ ତାରିଖରୁ ଟେକ୍ସଟାଇଲ ଉପରେ ଜିଏସଟି ୫ରୁ ୧୨କୁ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ ।
ଶୁକ୍ରବାର ଜିଏସଟି କାଉନସିଲର ବୈଠକରେ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଜିଏସଟି ବଢିଲେ ଏହାଦ୍ୱାରା ସାଧାରଣ ଜନତା ସବୁଠାରୁ ଅଧିକ ପ୍ରଭାବିତ ହେବେ ତେଣୁ ସରକାର ଟେକ୍ସଟାଇଲ ଉପରେ ଜିଏସଟି ପୂର୍ବପରି ୫ ପ୍ରତିଶତ ରଖିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ପୂର୍ବରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଗୁଜରାଟ, ପଶ୍ଚିମବଙ୍ଗ, ଦିଲ୍ଲୀ, ରାଜସ୍ଥାନ ଓ ତାମିଲନାଡୁ ପରି ରାଜ୍ୟ ବିରୋଧ କରିଥିଲେ ।