ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ସେନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ସେମାନଙ୍କର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ନିକଟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମାପ୍ତ ହେବା ପରେ ଉକ୍ତ ଫଳାଫଳକୁ ସମୀକ୍ଷା କରି ରାଜନୈତିକ ଦଳମାନେ ଆଗାମୀ ଲଢ଼େଇ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଏହା ମଧ୍ୟରେ ଗୁଜରାଟ ରାଜନୀତିରୁ ଆସିଛି ଏକ ବଡ଼ ଖବର ।
ସୂଚନା ମୁତାବକ, ଗୁଜରାଟ କଂଗ୍ରେସର ଜଣେ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଖମ୍ଭାନ୍ତ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ଚିରାଗ ପଟେଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ସେ ରାଜ୍ୟ ବିଧାନସଭାର ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି । ଏହା ଫଳରେ ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟ ବିଧାନସଭାର ୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ଗତ ୧୩ ତାରିଖରେ ବିସାଭଦର ଆସନରୁ ନିର୍ବାଚିତ ହୋଇଥିବା ଆମ୍ ଆଦମୀ ପାର୍ଟି (ଆପ)ର ବିଧାୟକ ଭୂପତ ଭାୟାଣୀ ନିଜ ପଦରୁ ଇସ୍ତଫା ଦେଇଥିଲେ ।
୪୪ ବର୍ଷୀୟ ଚିରାଗ ଗତ ୨୦୨୨ ମସିହା ନିର୍ବାଚନରେ ପ୍ରଥମ ଥର ପାଇଁ ରାଜ୍ୟ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିପେଜପି ପ୍ରାର୍ଥୀ ମହେଶକୁମାର କହ୍ନେୟାଲାଲ ରାଭଲଙ୍କୁ ୩,୭୭୧ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଚିରାଗ ଓ ଭୂପତଙ୍କ ଇସ୍ତଫା ପରେ ଏବେ ୧୮୨ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୨ଟି ଆସନ ଖାଲି ହୋଇଯାଇଛି । ଖବଶୀଘ୍ର ଏହି ଦୁଇ ଆସନରେ ଉପନିର୍ବାଚନ ହୋଇପାରେ ।