fbpx

ରିଲ ନୁହେଁ ରିଅଲ ସିଂଘମ: ବେଶ ବଦଳାଇ ୪୮ ଘଣ୍ଟାରେ ଧରିଲେ ଚୋର

Advertisement

ନୂଆଦିଲ୍ଲୀ: ସାଧାରଣତଃ ଫିଲ୍ମରେ ପୁଲିସ ଅପରାଧୀମାନଙ୍କୁ ବିଭିନ୍ନ ପ୍ରକାର ଉପାୟରେ ଧରୁଥିବା ଦେଖାଯାଇଥାଏ । କେବେ ବେଶ ବଦଳାଇ ତ’ କେବେ ହିରୋ ଭଳି ମାରପିଟ କରି । ତେବେ ସାଧାରଣ ଜୀବନରେ ଯଦି ଏପରି ଏକ ଦୃଶ୍ୟ ଦେଖିବାକୁ ମିଳେ ତ’? ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ୱାଲିୟରରେ । ଏଠାରେ ଏକ ଚୋରକୁ ଧରିବା ପାଇଁ ପୁଲିସକୁ ଫେରିବାଲା ଏବଂ ପରିବା ବିକାଳି ହେବାକୁ ପଡ଼ିଥିଲା ।

ସୂଚନା ଅନୁଯାୟୀ, ଗୁଜୁରାଟର ଅହମଦାବାଦ ଅନ୍ତର୍ଗତ ଚାଣକ୍ୟପୁରୀ ଅଞ୍ଚଳରେ ରହୁଥିବା ଜଣେ ଓକିଲଙ୍କ ଘରୁ ୧.୫ ଲକ୍ଷ ଟଙ୍କା ସହିତ ଅନେକ ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ଆସିଥିଲା । ତେବେ ଚୋରକୁ ଧରିବା ପାଇଁ ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କଲାପରେ ଚୋରର ପ୍ରକୃତ ପରିଚୟ ଜାଣିପାରିଥିଲା । ତେବେ ଚୋର ଏକ ଗୋଲ୍ଡେନ ରଙ୍ଗର ଆକ୍ଟିଭା ଯୋଗେ ଆସିଥିବା ଜଣାପଡ଼ିବା ପରେ ପୁଲିସ ଆକ୍ଟିଭା ମାଲିକକୁ ଖୋଜିବାରେ ଲାଗିଥିଲା । ହେଲେ ଆକ୍ଟିଭା ମାଲିକ ଜଣେ ଗୁପଚୁପ ବିକାଳି ବୋଲଇ ଜଣାପଡ଼ିଥିଲା ।

ଏହା ପରେ ସେଠାକୁ ଯାଇ ପୁଲିସ ପଚରାଉଚରା କରିଥିଲା । ତେବେ ଉକ୍ତ ଗୁପଚୁପ ବ୍ୟବସାୟୀଙ୍କର ଜଣେ ବନ୍ଧୁ ଏହି ଗାଡ଼ି ଚଲାଉଥିବା ସେ କହିଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କ ବନ୍ଧୁ ମଧ୍ୟପ୍ରଦେଶ ଫେରିଯାଇଥିବା ସେ ସେ କହିବା ପରେ ପୁଲିସର ଏକ ଟିମ ଗ୍ୱାଲିୟର ଯାଇଥିଲେ । କିନ୍ତୁ ଅଭିଯୁକ୍ତ ଅଶୋକ ଶର୍ମା ମଧ୍ୟ ଆଗୁଆ ସଚେତନ ହୋଇଯାଇଥିଲା । ତେଣୁ ପୁଲିସ ସେଠାକୁ ଆସିଲା କି ନାହିଁ ତାହା ଜାଣିବା ପାଇଁ ଅଶୋକ ନିଜ ବନ୍ଧୁଙ୍କୁ ବାରମ୍ବାର ଫୋନ କରୁଥିବା ତାଙ୍କ ବନ୍ଧୁ ପୁଲିସକୁ ଜଣାଇଥିଲେ ।

ଅଶୋକ ରହୁଥିବା ଅଞ୍ଚଳ ବେଶ ଲୋକାରଣ୍ୟ ଥିବା କାରଣରୁ ପୁଲିସକୁ ତା’କୁ ଧରିବାରେ ବାରମ୍ବାର ବିଫଳ ହେଉଥିଲା । ତେଣୁ ସେମାନେ ଶୀତଋତୁରେ ସାଧାରଣ ଫେରିବାଲାର ବେଶ ନେଇ ଅଭିଯୁକ୍ତ ରହୁଥିବା ଗଳିରେ ଜିନିଷ ବିକ୍ରି କରିବାକୁ ଯାଇଥିଲେ । ତେବେ ଏହି ସମୟ ମଧ୍ୟରେ ଅଶୋକ ମଧ୍ୟ କିଛି କିଣିବା ପାଇଁ ବାହାରକୁ ଆସିଥିଲେ । ଏହି ପରିସ୍ଥିତିର ସୁଯୋଗ ନେଇ ପୁଲିସ ସେହିଠାରେ ଅଶୋକଙ୍କୁ ଧରିଥିଲା । ତେବେ ଏହା ମଧ୍ୟରେ ଅଶୋକଙ୍କୁ ଚୋରି ଜିନିଷ ବିକ୍ରି କରିବାକୁ ସମୟ ମିଳିନଥିବା କାରଣରୁ ପୁଲିସକୁ ତାଙ୍କ ପାଖରୁ ସମସ୍ତ ଚୋରି ଜିନିଷ ଜବତ କରିଛି ।

ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲା ଗୁଜୁରାଟ ପୁଲିସ । ତେବେ ଏହା ପରେ ପୁଲିସ ଅଶୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.