fbpx

ଜ୍ଞାନବାପି ପରିସର ସର୍ଭେ ଉପରେ ଜାରି ରହିବ ସ୍ଥଗିତାଦେଶ, ଗୁରୁବାର ପୁଣି ହେବ ଶୁଣାଣି

Advertisement

ନୂଆଦିଲ୍ଲୀ: ବାରଣାସୀର ବିବାଦୀୟ ଜ୍ଞାନବାପି ପରିସରରେ ଏଏସ୍‌ଆଇ ସର୍ଭେ ଉପରେ ସ୍ଥଗିତାଦେଶକୁ ଆଲହାବାଦ ହାଇକୋର୍ଟ ବଢାଇ ଦେଇଛନ୍ତି । ଏହି ମାମଲା ଉପରେ ଗୁରୁବାର ଅପରାହ୍ନ ୩ଟା ୩୦ ମିନିଟ୍‌ରେ କୋର୍ଟ ପୁଣି ଶୁଣାଣି କରିବେ । ଗୁରୁବାର ଶୁଣାଣି ପର୍ଯ୍ୟନ୍ତ ଏହି ରୋକ ଲାଗୁ ରହିବ । ଜ୍ଞାନବାପି ମସଜିଦ ପରିସରରେ ଏଏସ୍‌ଆଇ ସର୍ଭେ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ବୁଧବାର ସନ୍ଧ୍ୟା ୫ଟାରେ ଶେଷ ହେଉଥିଲା ।

ବୁଧବାର ଶୁଣାଣି ସମୟରେ ମୁସଲିମ ପକ୍ଷର ଓକିଲ ନଖବୀ କୋର୍ଟରେ କହିଥିଲେ ଯେ, ‘ଜ୍ଞାନବାପି କୌଣସି ସଂରକ୍ଷିତ ସ୍ଥଳ ନୁହେଁ, ଯାହା ଉପରେ ଏଏସ୍‌ଆଇ ଦାବି ଅନୁଯାୟୀ କେନ୍ଦ୍ର ସରକାରଙ୍କୁ ଅନୁମତି ଆଧାରରେ ଏଏସ୍‌ଆଇ ଆଇନ୍ ମୁତାବକ ଏଠାରେ ସର୍ଭେ ହେବ’। ତେବେ ସବୁକିଛି ମଧ୍ୟରେ ପ୍ରଶ୍ନ ଉଠୁଛି ଯେ, କୋର୍ଟ ଏହି ମାମଲାର ଶୁଣାଣି ପାଇଁ ଏଏସ୍‌ଆଇ କୁ ପକ୍ଷ କରି ନାହାନ୍ତି । ଏହି ପ୍ରସଙ୍ଗରେ ଆଲହାବାଦ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି ଏହା ଉପରେ ଏଏସ୍‌ଆଇ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା କିଛି ଭୁଲ୍ କରାଯାଏ ତେବେ ସବୁଦିନ ପାଇଁ କୋର୍ଟ ଏହାର ସର୍ଭେ ଉପରେ ରୋକ ଲଗାଇ ଦେବେ ।

ଶୁଣାଣି ସମୟରେ ଏଏସଆଇର ଜଣେ ଅଧିକାରୀ ହାଇକୋର୍ଟଙ୍କୁ କହିଥିଲେ ଯେ ଜୁଲାଇ ୨୪ ତାରିଖ ସକାଳ ୯ଟାରେ ଆମେ ସର୍ଭେ ଆରମ୍ଭ କରିଥିଲୁ। ସର୍ବେକ୍ଷଣ ଆରମ୍ଭ ହୋଇଥିଲା ଏବଂ ପରେ ସ୍ଥଗିତାଦେଶ ଜାରି କରାଯାଇଥିଲା। ଏହା ଉପରେ ହାଇକୋର୍ଟ ପଚାରିଥିଲେ ସର୍ଭେ କରିବା ପାଇଁ ଆଉ କେତେ ସମୟ ଦରକାର? ଏଥିପାଇଁ କେତେ ସମୟ ଲାଗିବ ତାହା ଜଣାପଡ଼ିନାହିଁ ବୋଲି ଏଏସଆଇ ଅଧିକାରୀ କହିଛନ୍ତି ।

ଏହା ପୂର୍ବରୁ ଜ୍ଞାନବାପି କ୍ୟାମ୍ପସର ଏସଆଇ ସର୍ଭେ ବିରୋଧରେ ମୁସଲିମ ପକ୍ଷ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି ହୋଇଥିଲା । କୋର୍ଟରେ ମୁସଲିମ ପକ୍ଷ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୟଦ ଫରମନ ନକଭି ପୁରୀ ଓ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଯୁକ୍ତି ଉପସ୍ଥାପନ କରିଥିଲେ। ଶୁଣାଣି ବେଳେ ମୁସଲିମ ପକ୍ଷ ଯୁକ୍ତି ବାଢିଥିଲେ ଯେ ସର୍ଭେ କରାଗଲେ କୋଠା ପ୍ରତି ବିପଦ ସୃଷ୍ଟି ହେବ । ଅନ୍ୟପକ୍ଷରେ ହିନ୍ଦୁ ପକ୍ଷ ସର୍ଭେ ସପକ୍ଷରେ ଯୁକ୍ତି କରିଥିଲା ।

Get real time updates directly on you device, subscribe now.