fbpx

H3N2 ବଦଳାଉଛି ରୂପ: ମେଡିକାଲରେ ଭର୍ତ୍ତି ହେବା ପାଇଁ ବିଶେଷଜ୍ଞ ଦେଲେ ମତ

ନୂଆଦିଲ୍ଲୀ: H3N2 ଭାଇରସକୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି ବିଶେଷଜ୍ଞ । ଏହାର ଜୀବାଣୁ ବର୍ତ୍ତମାନ ଫୁସଫୁସ ସଂକ୍ରମଣ ଭଳି ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି । H3N2 ଇନଫ୍ଲୁଏଞ୍ଜା ଗତ ୬ ମାସ ମଧ୍ୟରେ ଅପ୍ରତ୍ୟାଶ୍ରି ଭାବରେ ନିଜର ରୂପ ପରିବର୍ତ୍ତନ କରୁଥିବା ସୂଚନା ମିଳିଛି ।

ଏ ନେଇ ଦିଲ୍ଲୀର ସାର୍ ଗଙ୍ଗାରାମ ଡାକ୍ତରଖାନାର ଜଣେ ବରିଷ୍ଠ ପରାମର୍ଶଦାତା ଡ. ଧୀରନ ଗୁପ୍ତା କହିଛନ୍ତି ଯେ, ଗତ ୬ ମାସ ମଧ୍ୟରେ ଜୀବାଣୁଙ୍କର ପାଟର୍ଣ୍ଣରେ ପରିବର୍ତ୍ତନ ଆସିଛି । ସାଧାରଣତଃ ମେଡିକାଲରେ ଭର୍ତ୍ତି ହେବା ସଂଖ୍ୟାରେ ଏହି ଭାଇରସର ସଂକ୍ରମଣ ଶୀର୍ଷ ସ୍ଥାନରେ ରହବା ନେଇ ସେ ଆଶଙ୍କା କରିଛନ୍ତି । H3N2 ଭାଇରସ ଅତ୍ୟଧିକ ଶ୍ୱାସକ୍ରିୟା ଜନିତ ସଂକ୍ରମଣର କାରଣ ହୋଇଥିବା ନେଇ ସୂଚନା ମିଳିଛି । ଡ. ଗୁପ୍ତା କହିଛନ୍ତି ଯେ, ଏହା ଭୟଙ୍କର ଫୁସଫୁସ ସଂକ୍ରମଣର କାରଣ ପାଲଟିଛି । ସେହିପରି ଆଉ ଏକ ପର୍ଯ୍ୟବେକ୍ଷଣରୁ ଜଣାଯାଇଛି ଯେ, ଟାଇପ୍ ବି ଇନଫ୍ଲୁଏଞ୍ଜା ଏଆରଡିଏସ ଆକାରରେ ଅଧିକ ଫୁସଫୁସ ସଂକ୍ରମଣର କାରଣ ହୋଇଛି ।

ସେପଟେ ହରିୟାଣା ଏବଂ କର୍ଣ୍ଣାଟକରେ ଏହି ଭାଇରସ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ମଧ୍ୟ ରେକର୍ଡ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, କର୍ଣ୍ଣାଟକର ସଂକ୍ରମିତଙ୍କ ଶରୀରରେ ଇନଫ୍ଲୁଏଞ୍ଜା-ଲାଇକ ଇଲନେସ(ILI)ର ଲକ୍ଷଣ ଦେଖାଯାଇଥିଲା । ୮୨ ବର୍ଷୀୟ ଏହି ସଂକ୍ରମିତଙ୍କ ଦେହରେ ବିଶେଷ କରି ଜ୍ୱର, କାଶ ବା ଗଳା ଖରାପ ଆଦି ସମସ୍ୟା ଯୋଗୁଁ ହସନ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି ହୋଇଥିବା ବେଳେ ମାର୍ଚ୍ଚ ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଛି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୦ରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେଣ୍ଟେସନ(CDC) ଅନୁସାରେ, H3N2 ଇନଫ୍ଲୁଏଞ୍ଜାର ଜୀବାଣୁ ଅନେକ ସମୟରେ ସ୍ୱାଇନ ଫ୍ଲୁ ବୋଲି ମଧ୍ୟ କୁହାଯାଏ । ଏହା ଲୋକମାନଙ୍କୁ ସଂକ୍ରମିତ କରୁଥିବାରୁ ଏହାକୁ ପ୍ରାୟତଃ ଭାରିଆଣ୍ଟ ବୋଲି କୁହାଯାଏ । CDC କହିବା ଅନୁଯାୟୀ, ୨୦୧୧ରେ ଲୋକମାନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ H3N2 ଭାରିଆଣ୍ଟ ଭାଇରସ ମିଳିଥିଲା ।

ତେବେ ବର୍ତ୍ତମାନ H3N2 ଭାଇରସର ଅଧିକାଂଶ ଲକ୍ଷଣ ଋତୁ ପରିବର୍ତ୍ତନ ଯୋଗୁଁ ହେଉଥିବା ଜ୍ୱର ସହିତ ତୁଳନା କରାଯାଉଛି । ଜ୍ୱର, ଶ୍ୱାସକ୍ରିୟାରେ ସମସ୍ୟା, କାଶ ଏବଂ ନାକରୁ ବୋହିବା ସହିତ ଶରୀର ପୀଡା, ବାନ୍ତି, ଡାଇରିଆ ଭଳି ସମସ୍ୟା ଏହି ରୋଗର ମଧ୍ୟ ଲକ୍ଷଣ ବୋଲି ଜଣାଯାଇଛି । ତେବେ ଅନେକ ଲୋକଙ୍କ ଶରୀରରେ ଏହି ସମସ୍ୟା ଲଗାତାର ଗୋଟିଏ ସପ୍ତାହ କିମ୍ବା ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ଲକ୍ଷଣ ଦେଖାଯାଏ । ଶ୍ୱାସ, ଡାଇବେଟିସ, ହାର୍ଟ ସମସ୍ୟା ଭଳି ଗମ୍ଭୀର ସମସ୍ୟା ଥିବା ବ୍ୟକ୍ତି କିମ୍ବା ବୟସ୍କ ଏବଂ ଗର୍ଭବତୀମାନଙ୍କ ପାଇଁ H3N2 ସଂକ୍ରମଣ ଜଟିଳ ହୋଇପାରେ ବୋଲି ସୂଚନା ଦେଇଛି ସିଡିସି ।

Get real time updates directly on you device, subscribe now.