ବେଙ୍ଗାଲୁରୁ: ଆଜିକାଲି ଡିଜିଟାଲ ଯୁଗ । ଅଧିକାଂଶ ବ୍ୟକ୍ତି ସହଜରେ ଅନଲାଇନରେ ଅନେକ ଜିନିଷ ଅର୍ଡ଼ର କରିଥାନ୍ତି । କିନ୍ତୁ ବେଳେ ବେଳେ ଏଭଳି ପାର୍ସଲ ବିସ୍ଫୋରଣର କାରଣ ହୋଇପାରେ ଯାହାର ଏକ ଉଦାହରଣ ଦେଖିବାକୁ ମିିଳିଛି କର୍ଣ୍ଣାଟକ ବାଗଲକୋଟ ଜିଲ୍ଲାରେ ।
ସୂଚନାରୁ ପ୍ରକାଶ ବାଗଲକୋଟ ଇଲକଲ ଶହରରେ ଜଣେ ଦିବଙ୍ଗତ ସୌନିକଙ୍କ ପତ୍ନୀ ରହୁଥିଲେ । ତାଙ୍କ ନାମ ବସମ୍ମା ୟାରାନଲ । ତାଙ୍କର ଜଣେ ସାଙ୍ଗ ଶଶିକଲା ଏହି ପାର୍ସଲ ଅର୍ଡ଼ର କରିଥିଲେ । କିନ୍ତୁ ପାର୍ସଲ ଡେଲିଭେରି ଦିନ ତାଙ୍କ ସାଙ୍ଗ ସହରରେ ନଥିବାରୁ ବସମ୍ମା ଏହି ପାର୍ସଲ ରିସିଭ୍ କରିଥିଲେ । ଡିଟିଡିସି କୋରିୟର ମାଧ୍ୟମରେ ପଠାଯାଇଥିବା ଏହି ପାର୍ସଲରେ ଶଶିକଳାଙ୍କ ନାମ ଏବଂ ମୋବାଇଲ ନମ୍ବର ଲେଖାଥିଲା । ଅପରପକ୍ଷରେ ଶଶିକଳା ବସମ୍ମାଙ୍କୁ ପାର୍ସଲ ଖୋଲି ଜିନିଷ ଯାଞ୍ଚ କରିବାକୁ କହିଥିଲେ । ଏହା ପରେ ବସମ୍ମା ପାର୍ସଲରେ ଥିବା ହେୟାର ଡ୍ରାୟର ପ୍ଲଗ୍ ଇନ୍ କରି ଚାଲୁକରିଥିଲେ । ହଠାତ ହେୟାର ଡ୍ରାୟର ଫାଟିଯାଇଥିଲା । ଏହି ବିସ୍ଫୋରଣରେ ବସମ୍ମା ଗୁରୁତର ହୋଇଥିଲେ । ହେୟାର ଡ୍ରାୟର ଧରିଥିବା ହାତର ଅବସ୍ଥା ରହିଲାନି । ଆଙ୍ଗୁଳି କଟିଯାଇ ଲହୁଲୁହାରଣ ହୋଇଯାଇଥିଲା । ଏହା ପରେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କୁ ପୀଡ଼ିତ ମହିଳା(ବସମ୍ମା)ଙ୍କ ଦୁଇଟା ହାତ କାଟିବାକୁ ପଡ଼ିଥିଲା । ପରିବାର ବର୍ଗଙ୍କ ପକ୍ଷରୁ ଇଲକଲ ଥାନରେ ଏକ ମାମଲା ରୁଜୁ କରିଥିଲେ । ଏହି ପାର୍ସଲ କିଏ, କାହିଁକି ଓ କେଉଁ ଉଦ୍ଦେଶ୍ୟରେ ପଠାଇଛି ଏହାର ତଦନ୍ତ ଜାରି ରହିଛି । ଅପରପକ୍ଷରେ ଏହି ହେୟାର ଡ୍ରାୟର ଆନ୍ଧ୍ରପ୍ରଦେଶ ବିଶାଖାପାଟନାର ଏକ କମ୍ପାନୀ ଦ୍ୱାରା ନିର୍ମିତ କରାଯାଇଥିବା ଜଣାପଡ଼ିଛି ।