fbpx

ବିବାହ ଉପହାରରେ ମିଳିଥିଲା ଟେଡି ବିୟର: ବ୍ଲାଷ୍ଟ ହେବାରୁ ନଷ୍ଟ ହୋଇଗଲା ଯୁବକଙ୍କ ହାତ ଏବଂ ଆଖି

ଗୁଜୁରାଟ: ବିବାହ ଉତ୍ସବରେ ମିଳିଥିଲା ଟେଡି ବିୟର ଉପହାର । କିନ୍ତୁ ଏହା ପରିବାର ପାଇଁ ଏକ ଭୟଙ୍କର ଉପହାର ପାଲଟିଯାଇଛି । ଉପହାର ପ୍ୟାକେଟ ଖୋଲିବା ମାତ୍ରେ ଏଥିରେ ଅଚାନକ ବ୍ଲାଷ୍ଟ ହୋଇଛି । ଏହି ବିସ୍ଫୋରଣରେ ନବବିବାହିତ ଯୁବକଙ୍କ ସହ ଜଣେ ଛୋଟ ପିଲା ଗୁରୁତର ଆହତ ହୋଇଛନ୍ତି । ଉଭୟ ଆହତଙ୍କୁ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।

ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଛି ଗୁଜୁରାଟ ନବସାରୀ ଜିଲ୍ଳା ବଂଶଦା ଅଞ୍ଚଳରେ । ଗତ ୧୨ ତାରିଖରେ ଏଠାକାର ଲତେଶ ନାମକ ଯୁବକଙ୍କର ବିବାହ ସମ୍ପନ୍ନ ହୋଇଥିଲା । ବିବାହରେ ମିଳିଥିବା ସମସ୍ତ ଉପହାରକୁ ଖୋଲି ଦେଖିବା ସମୟରେ ହଠାତ ଏକ ଟେଡି ବିୟରରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ଲତେଶଙ୍କ ସହିତ ତାଙ୍କ ୩ ବର୍ଷର ପୁତୁରାର ଅବସ୍ଥା ମଧ୍ୟ ଗୁରୁତର ହୋଇଛି । ଲତେଶଙ୍କ ଆଖିରେ ଏକ ବଡ କ୍ଷତି ହୋଇଥିବା ବେଳେ ହାତ ପାପୁଲି ନଷ୍ଟ ହୋଇଯାଇଛି ଏବଂ ଶରୀରର ଉପରିଭାଗ ମଧ୍ୟ ଜଳି ଯାଇଛି । ତେବେ ଉଭୟଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।

ନବବଧୂଙ୍କ ପୂର୍ବ ପ୍ରେମିକ ରାଜୁ ଜଣେ ଆଶା କର୍ମୀଙ୍କ ଦ୍ୱାରା ଏହି ଉପହାର ପଠାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ପ୍ରେମିକାଙ୍କର ଅନ୍ୟ ଯୁବକ ସହ ବିବାହରେ ଉତକ୍ଷିପ୍ତ ହୋଇ ରାଜୁ ଏପରି କାଣ୍ଡ କରିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଘଟଣାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାସହିତ ପୀଡିତ ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରିଛି ବଂଶଦା ପୋଲିସ ।

Get real time updates directly on you device, subscribe now.