ଭାରତରେ ଲଞ୍ଚ୍ ହେଲା ‘Hanooman’: ଦେଶର ପ୍ରଥମ ସ୍ୱଦେଶୀ AI ଟୁଲରେ କ’ଣ ରହିଛି ଫିଚର୍

ନୂଆଦିଲ୍ଲୀ: ବିଜ୍ଞାନ ଏବଂ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଏବେ ଖୁବ ବିକାଶ ଦିଗରେ ଆଗେଇ ଚାଲିଛି । ବିଭିନ୍ନ ସମୟରେ ଅନେକ ଉଦ୍ଭାବନ ଏବଂ ଆବିଷ୍କାର କରିବା ଜାରି ରଖିଛନ୍ତି ଦେଶର ବୈଜ୍ଞାନିକ । ବର୍ତ୍ତମାନ AI ଦୁନିଆରେ ଭାରତ ପାଦ ଥାପିଛି । ଏହାଭିତରେ ଭାରତର ପ୍ରଥମ ଏଆଇ ଟୁଲ୍ ଲଞ୍ଚ୍ ହୋଇଯାଇଛି । 3AI ହୋଲ୍ଡିଙ୍ଗ ଲିମିଟେଡ ଏବଂ ସିରିଏଲ ମିଡିଆ ଲ୍ୟାବ୍ସ ଇଣ୍ଡିଆ ତରଫରୁ ଭାରତର ପ୍ରଥମ ସ୍ୱଦେଶୀ AI ଆଧାରିତ ଜେନେରେଟିଭ ଏଆଇ ଟୁଲ ‘ହନୁମାନ’ ଲଞ୍ଚ୍ ହୋଇଯାଇଛି । ଗତ ଫେବୃଆରୀ ୨୧ ତାରିଖରେ ମୁମ୍ବାଇର ଏକ ଇଭେଣ୍ଟରେ ଏହାକୁ ସୋ’କେସ୍ କରାଯାଇଥିଲା ।

ସୂଚନା ଥାଉ କି, ଭାରତର ପ୍ରଥମ ଦେଶୀ ଜେନେରେଟିଭ ଏଆଇ ପ୍ଲାଟଫର୍ମ ‘ହନୁମାନ’ରେ ଦେଶର ୧୨ଟି ଭାଷା ସହିତ ପୃଥିବୀର ମୋଟ ୯୮ଟି ଭାଷାକୁ ଗ୍ରହଣ କରିପାରିବ । ଏହାବ୍ୟତୀତ ‘ହନୁମାନ’ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ ମଧ୍ୟ କ୍ରିଏଟ କରିବା ପାଇଁ ସମର୍ଥ ରହିଛି । ଏହାଦ୍ୱାରା କବିତା, ସ୍କ୍ରିପ୍ଟ ଏବଂ କୋଡ୍ ଇତ୍ୟାଦି ମଧ୍ୟ ଲେଖିପାରିବେ ୟୁଜର । ଅନ୍ୟ ଏଆଇ ଟୁଲ୍ ଗୁଡ଼ିକ ପରି ‘ହନୁମାନ’ ମଧ୍ୟ ୟୁଜରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରିବ ଏବଂ କଥାବାର୍ତ୍ତା କରିପାରିବ । ଏହାସହିତ ୟୁଜରଙ୍କ ଡିମାଣ୍ଡ ଅନୁସାରେ ପ୍ରତିକ୍ରିୟା ରଖିପାରିବ ‘ହନୁମାନ’ । ଏହାବ୍ୟତୀତ ଏହି ଟୁଲ ସାହାଯ୍ୟରେ କୋଡ୍ ଲେଖାଯିବା ସହ ଅନେକ ଭାଷାର ଅନୁବାଦ ମଧ୍ୟ ହୋଇପାରିବ ଏବଂ ଅନ୍ୟାନ୍ୟ ଟେକ୍ନିକାଲ କାର୍ଯ୍ୟ ହୋଇପାରିବ । ତେବେ ବର୍ତ୍ତମାନ ଏହା ଆଲଫା ମୋଡରେ ରିଲିଜ କରାଯାଇଛି । ତେଣୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରି ନାହିଁ ଭାରତର ପ୍ରଥମ ଏଆଇ ଟୁଲ୍ ।

କେମିତି ମାଗଣାରେ ମିଳିବ ଆକ୍ସେସ?

ବର୍ତ୍ତମାନ ସମସ୍ତ ୟୁଜରମାନଙ୍କ ପାଇଁ ମାଗଣାରେ ଉପଲବ୍ଧ ରହିଛି ‘ହନୁମାନ’ । ତେବେ ଆଗାମୀ ଦିନରେ କମ୍ପାନୀ ଏକ ପ୍ରିମିୟମ୍ ଭର୍ଜନ ଲଞ୍ଚ୍ କରିବାକୁ ଯୋଜନା ରଖିଛି, ଏଥିରେ ମେମ୍ବରସିପ୍ ଦେୟ ଦେବାକୁ ପଡ଼ିବ । ତେବେ ଏହି ନୂଆ ଦେଶୀ ଏଆଇ ଟୁଲକୁ କମ୍ପାନୀ ତରପରୁ ୱେବ କ୍ଲାଇଣ୍ଟ ସହିତ ଆଣ୍ଡ୍ରଏଡ ଆପ୍ ରୂପରେ ମଧ୍ୟ ଲଞ୍ଚ୍ କରାଯାଇଛି । ତେବେ ୟୁଜର ନିଜ ଆକାଉଣ୍ଟ ଖୋଲିବା ପରେ ଏହାର ସହଜ ବ୍ୟବହାର କରିପାରିବେ ।

୧ ବର୍ଷ ମଧ୍ୟରେ ପ୍ରାୟ ୨୦ କୋଟି ୟୁଜରଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛି ‘ହନୁମାନ’ । ଏହାସହିତ ଦେଶରେ ଏଆଇର ଫ୍ରେମୱର୍କ ନିର୍ମାଣ କରିବା ସହ ଏଆଇକୁ ଗୁରୁତ୍ୱ ଦେବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । ତେବେ ଏହାକୁ HP, NASSCOM ଏବଂ YOTTA ଭଳି ବିଭିନ୍ନ ଟେକ୍ କମ୍ପାନୀ ତରପର ସମର୍ଥନ ମଧ୍ୟ ମିଳିଛି । ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ସହିତ ବିଭିନ୍ନ କ୍ଷେତ୍ରରେ ‘ହନୁମାନ’ କୁ ବ୍ୟବହାର କରାଯାଇପାରିବ ।