ହଟିବ ବେକାରୀ ସମସ୍ୟା! ବାହାରିବ ୧ ଲକ୍ଷ ୭୦ ହଜାର ଚାକିରି, ଚଳିତ ବର୍ଷ ଆୟୋଜିତ ହେବ ୨୦୦ ରୋଜଗାର ମେଳା

ନୂଆଦିଲ୍ଲୀ: ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଖୁବଶୀଘ୍ର ୧ ଲକ୍ଷ ୭୦ ହଜାର ଯୁବକ, ଯୁବତୀଙ୍କୁ ଚାକିରି ମିଳିବ । ଏଥିପାଇଁ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଭିନ୍ନ ବିଭାଗରେ ହଜାର ହଜାର ହଜାର ଆଶାୟୀଙ୍କୁ ନିଯୁକ୍ତି ଦିଆଯିବ । ସେଥିପାଇଁ ୨୦୦ ରୋଜଗାର ମେଳାର ଆୟୋଜନ କରାଯିବ । ଏନେଇ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ।

ଯୁବବର୍ଗଙ୍କ ବିକାଶ ପାଇଁ ଆତ୍ମନିର୍ଭରତା ଓ ଆତ୍ମସମ୍ମାନର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଉଛନ୍ତି ହରିୟାଣା ସରକାର । ପୂର୍ବରୁ ରାଜ୍ୟ ସରକାର ୧.୧୪ ଲକ୍ଷ ଚାକିରି ପ୍ରଦାନ କରିଥିବା ବେଳେ ୫୬ ହଜାର ସରକାରୀ ପଦରେ ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯିବ । ବର୍ତ୍ତମାନ ସରକାର ମୋଟ ୧.୭୦ ଲକ୍ଷ ଚାକିରି ପ୍ରଦାନ ନେଇ ପ୍ରସ୍ତୁତି ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନିଯୁକ୍ତିକୁ ନେଇ ରାଜ୍ୟର ଆଶାୟୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ।

ରୋଜଗାର ମେଳା ମାଧ୍ୟମରେ ଚାକିରି ପାଇଥିବା ଯୁବକ, ଯୁବତୀଙ୍କୁ ସମ୍ବୋଧିତ କରିବା ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେହି ଅବସରରେ ‘ମୁଖ୍ୟମନ୍ତ୍ରୀଙ୍କ ବିଶେଷ ଚର୍ଚ୍ଚା’ରେ ଶ୍ରୀ ଖଟ୍ଟର ଅଂଶଗ୍ରହଣ କରି ସମ୍ବୋଧିତ କରିଥିଲେ । ଗତ ୨୦୧୯ ମସିହା ଜାନୁଆରୀ ମାସଠାରୁ ରାଜ୍ୟରେ ୧୪୫୦ଟି ରୋଜଗାର ମେଳାର ଆୟୋଜନ କରାଯାଇଥିବା ବେଳେ ୩୧,୨୧୭ ଜଣଙ୍କୁ ଚାକିରି ଦିଆଯାଇଛି । ଘରୋଇ କ୍ଷେତ୍ରରେ ରୋଜଗାର ଓ ଆତ୍ମନିର୍ଭରଶୀଳତାର ବିକଳ୍ପ ସୃଷ୍ଟି କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ହରିୟାଣା କୌଶଳ ବିକାଶ ମିଶନ ଜରିଆରେ ୮୦ ହଜାରରୁ ଅଧିକ ଯୁବବର୍ଗଙ୍କୁ ଫାଇଦା ମିଳିଛି । ଏଥିସହିତ ଚଳିତ ବର୍ଷ ମଧ୍ୟ ୨୦୦ ରୋଜଗାର ମେଳା ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।