ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ କାର୍ୟ୍ୟର ଚାପରେ ଘେରି ରହିଛନ୍ତି । ତେବେ ଏଭଳି ପରିସ୍ଥିତିରେ ନିଜ ପାଇଁ ସମୟ ବାହର କରିବା କଷ୍ଟସାଧ୍ୟ ହୋଇପଡିଛି। ଏହି ଚାପ ଏବଂ ଟେନସନ ଯୋଗୁଁ ଲୋକେ ଅନେକ ସମୟରେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ତେଣୁ ଏପରି ସ୍ଥଳେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ଏପରି ବ୍ୟସ୍ତବହୁଳ ଜୀବନ ଭିତରେ ମଧ୍ୟ ଆପଣ ଘର ଭିତରେ ବ୍ୟାୟାମ ଏବଂ ଯୋଗ ମାଧ୍ୟମରେ ନିଜକୁ ଫିଟ୍ ରଖିପାରିବେ । ଏହା ବ୍ୟତୀତ ପୁଷ୍ଟିକର ଖାଦ୍ୟ ମଧ୍ୟ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସହାୟକ ହୋଇଥାନ୍ତି । କିନ୍ତୁ ବ୍ୟସ୍ତବହୁଳ ଜୀବନ ହେତୁ ବ୍ୟାୟାମ କିମ୍ବା ରୁଟିନ୍ ବଜାୟ ରଖିବା କିଛି ମାତ୍ରାରେ କଷ୍ଟ ।
ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯୋଗ କିମ୍ବା ବ୍ୟାୟାମ ଦୈନନ୍ଦିନ ଜୀବନରେ ଅନ୍ତର୍ଭୁକ୍ତ ନକରିବା ଦ୍ୱାରା ଶରୀରରେ ଅନେକ ସମସ୍ୟା ଏବଂ ରୋଗ ଦେଖା ଦେଇଥାଏ। ଯେଉଁମାନେ ବ୍ୟାୟାମ ପାଇଁ ସମୟ ଦେଇ ପାରୁନାହାନ୍ତି ସେମାନେ ଅଳ୍ପ କିଛି ସମୟର ବ୍ୟାୟାମ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହିପରି ବ୍ୟାୟାମ ବିଷୟରେ ।
ଗୋଡ଼ ଏକ୍ସରସାଇଜ- ପ୍ରଥମେ ଦୁଇ ପାଦର ଗୋଇଠି ଉଠାନ୍ତୁ ଏବଂ ତା’ପରେ ଆଙ୍ଗୁଠି ଉଠାନ୍ତୁ । ଏବେ ଆଙ୍ଗୁଠିକୁ ଆଗ ପଛ ବଙ୍କା କରି ବୁଲାନ୍ତୁ । ଏହାକୁ ୫ ରୁ ୧୦ ଥର ପୁନରାବୃତ୍ତି କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ପାଦକୁ ବେଶ ଆରାମ ମିଳିବ । ଏହା ସହିତ ଗୋଇଠି ଏବଂ ଆଙ୍ଗୁଠିରେ ରକ୍ତ ପ୍ରବାହ ସନ୍ତୁଳିତ ରହିବ ।
ଏହା ପରେ, ଏକ ଚେୟାରରେ ବସି ଧୀରେ ଧୀରେ ଦୁଇ ଗୋଡକୁ ଭୂମିରୁ ପ୍ରାୟ ଏକ ଫୁଟ ପର୍ୟ୍ୟନ୍ତ ଉଠାନ୍ତୁ । ଏହାକୁ ୧୦ ଥର ପୁନରାବୃତ୍ତି କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଅଣ୍ଟା ମାଂସପେଶୀ ଷ୍ଟ୍ରେଚ ହେବା ସହ ଆପଣ ଉଠିବା ଏବଂ ବସିବା ସମୟରେ ଆପଣଙ୍କୁ ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିବ ।
ଏହା ପରେ ଆପଣ ବ୍ରିଦିଙ୍ଗ ଏକ୍ସରସାଇଜ ମଧ୍ୟ କରିପାରିବେ । ତେବେ ଏହି ଏକ୍ସରସାଇଜ ଆପଣ ଗୋଟିଏ ଜାଗାରେ ବସି ମଧ୍ୟ କରିପାରିବେ । ସେଥିପାଇଁ ପ୍ରଥମେ ଆପଣ ନିଜର ଆଖି ବନ୍ଦ କରନ୍ତୁ ଏବଂ ୧୦ ରୁ ୨୦ ଥର ଦୀର୍ଘ ନିଃଶ୍ୱାସ ଭିତରକୁ ନିଅନ୍ତୁ ଏବଂ ଛାଡ଼ନ୍ତୁ । ତେବେ ଏପରି କରିବା ଦ୍ୱାରା ଆପଣଙ୍କ ଶରୀରରେ ଫୁର୍ତ୍ତି ଆସିବା ସହିତ ଅଳସୁଆମି କମ ହୋଇଥାଏ ।