fbpx

କରୋନା ମେଡିସିନ୍ ନାମରେ ବିଷ ବଟିକା ଦେଲେ ସ୍ୱାସ୍ଥ୍ୟକର୍ମୀ, ପରିବାରର ତିନିଜଣଙ୍କ ମୃତ୍ୟୁ

ଚେନ୍ନାଇ: ଗୋଟିଏ ପରିବାରକୁ ମେଡିସିନ୍ ନାମରେ ବିଷ ବଟିକା ଦିଆଯାଇଥିଲା । ଯାହା ଫଳରେ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି ତାମିଲନାଡ଼ୁର ଇରୋଡରେ । ତେବେ ପୁଲିସ୍ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ, କୋଝୱାନୀ ଗାଁରେ ରହୁଥିବା ମୁଖ୍ୟ ଅଭିଯୁକ୍ତ ଆର କଲ୍ୟାଣସୁନ୍ଦରମ୍ କିଛି ମାସ ତଳେ ଅନ୍ୟ ଗାଁର କଋପ୍ପରକୁଣ୍ଡର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଧାର କରି ଆଣିଥିଲା । ହେଲେ ଟଙ୍କା ଦେଇ ନ ପାରିବାରୁ ବାରମ୍ବାର ତା ଉପରେ ଚାପ ପକାଉଥିଲେ କଋପ୍ପନକୁଣ୍ଡର । ଆଉ ଏହି ଚାପରୁ ମୁକ୍ତି ପାଇବା ପାଇଁ ଅଭିଯୁକ୍ତ କଲ୍ୟାଣସୁନ୍ଦରମ୍ କରଜ କରିଥିବା କଋପ୍ପନକୁଣ୍ଡର ଓ ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ସ୍ଥିର କରିଥିଲା ।

ତେବେ କଲ୍ୟାଣସୁନ୍ଦରମ୍ ନିଜ କାମକୁ ସଫଳ କରିବା ପାଇଁ ସବରୀ ନାମକ(୨୫) ନାମକ ଜଣେ ଯୁବକର ସହାୟତା ମାଗିଥିଲା । ଏହି ସବରୀ ହେଉଛି ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ । ତେଣୁ ସେ ଜଣେ ସ୍ୱାସ୍ଥ୍ୟ କର୍ମୀ ଭାବରେ ଜୁନ୍ ୨୬ ତାରିଖରେ କଋପ୍ପନକୁନ୍ଦରଙ୍କ ଘରେ ପହଞ୍ଚିଥିଲା । ସେ ଜାଣିବାକୁ ପାଇଥିଲା ଯେ, କଋପ୍ପନକୁନ୍ଦରଙ୍କ ପରିବାରର ସଦସ୍ୟଙ୍କୁ ଥଣ୍ଡା କାଶରେ ପୀଡିତ ଅଛନ୍ତି । ଆଉ ଏହି ସୁଯୋଗରେ ସେ ସ୍ୱାସ୍ଥ୍ୟକର୍ମୀ ହିସାବରେ ପରିବାରକୁ କୋଭିଡ୍ ଔଷଧ ନାମରେ ବିଷ ବଟିକା ଦେଇଥିଲା ।

ତେବେ ଏହାକୁ ଖାଇବା ପରେ କଋପ୍ପନକୁନ୍ଦର, ତାଙ୍କ ପତ୍ନୀ ମଲ୍ଲିକା, ଝିଅ ଦୀପା ଏବଂ ଘରୋଇ ସହାୟିକା କୁପ୍ପଲ ବଟିକାକୁ ଖାଇଦେଇଥିଲେ । ଏହାପରେ ସେମାନେ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ପରିବାରର ସମସ୍ତଙ୍କୁ ବେହୋସ୍ ପଡିଥିବା ଦେଖି ହସ୍ପିଟାଲକୁ ନେଇଯାଇଥିଲେ । ମଲ୍ଲିକାଙ୍କୁ ହସ୍ପିଟାଲ ନେବା କ୍ଷଣି ମୃତ୍ୟୁ ହୋଇଯାଇଥିଲା । ତା ପରଦିନ ଝିଅ ଦୀପା ଏବଂ କୁପ୍ପଲଙ୍କର ମୃତ୍ୟୁ ହୋଇଯାଇଥିଲା । ଆଉ କଋପ୍ପନସୁନ୍ଦରମ୍ ଙ୍କ ସ୍ୱାସ୍ଥ୍ୟ ଏବେ ସଙ୍କଟାପନ୍ନ ରହିଛି । ତେବେ ପୁଲିସ୍ ରବିବାର କଲ୍ୟାଣସୁନ୍ଦରମ୍ ଏବଂ ସବରୀକୁ ଗିରଫ କରିଛି ।

Get real time updates directly on you device, subscribe now.