ଭୁବନେଶ୍ୱର: ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୮ ଓ ୧୯ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।
୧୮ ତାରିଖରେ ମାଲକାନଗିରି, କୋରାପୁଟ ଏବଂ ୧୯ ତାରିଖରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ୧୮ ଓ ୨୦ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।
ସୋମବାରଠାରୁ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏଥିସହ ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର କିଛି କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ସହ ପ୍ରବଳ ବର୍ଷା ହୋଇପାରେ।
ନୂଆ ଲଘୁଚାପ ପ୍ରଭାବରେ ୨୦ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ୨୭ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି।