Cyclone Dana: 100 କିମି ବେଗରେ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା, ଘାରିଲା ଫ୍ଲାସଫ୍ଲଡ୍ ଆଶଙ୍କା

ଭୁବନେଶ୍ବର: ଧାମରା –ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରି ତାଣ୍ଡବ ରଚିଛି ଦାନା । ମଧ୍ୟରାତ୍ରୀର ଅନ୍ଧକାରରେ ସୁସୁ ଗର୍ଜନ କରି ପବନ ବହିବା ସହିତ ପ୍ରବଳ ବର୍ଷା ମଧ୍ୟ ହୋଇଛି । ଅନେକ ଗଛ ଉପୁଡି ପଡିଥିବା ବେଳେ ଚାଳ ଛପର ଘର ଭାଙ୍ଗିଯାଇଥିବା ନଜର ଆସିଛି । ରାତି ପ୍ରାୟ ସାଢେ 12ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ସମୟରେ ପବନର ବେଗ ପାଖାପାଖି 100 କିଲୋମିଟର ରହିଥିଲା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ସମ୍ପୁର୍ଣ୍ଣ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇନଥିବା ବେଳେ ସମ୍ପୁର୍ଣ୍ଣ ଶେଷ ହେବା ପାଇଁ ଆହୁରି 1 ଘଣ୍ଟା ଲାଗିପାରେ ବୋଲି ଅନୁମାନ କରାଯାଉଛି ।

ତେବେ ବାତ୍ୟା ପରେ ଲଗାଣ ବର୍ଷା ଜାରି ରହିଥିବା କାରଣରୁ ଅନେକ ଜିଲ୍ଲାରେ ଫ୍ଲାସଫ୍ଲଡ ହେବାର ଆଶଙ୍କା କରାଯାଉଛି । ବାଲେଶ୍ବର, ଅନୁଗୁଳ, ବୌଦ୍ଧ, ଭଦ୍ରକ, କଟକ, ଗଜପତି, ଗଞ୍ଜାମ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, କନ୍ଧମାଳ, ଖେର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ ଏବଂ ପୁରୀରେ ଫ୍ଲାସଫ୍ଲଡ ଆଶଙ୍କା ରହିଥିବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ପରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଉତ୍ତର ଏବଂ ଉପକୂଳ ଓଡିଶାରେ ବୁଢାବଳଙ୍ଗ, ଜଳକା, ସୁବର୍ଣ୍ଣରେଖା, ସାଳନ୍ଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ଫୁଲିବାର ଆଶଙ୍କା ରହିଛି । ଜୁଆର ଉଠିଲେ 1ରୁ 3 କିଲୋମିଟର ପର୍ଯ୍ୟନ୍ତ ଲୁଣାପାଣି ଆସିବା ନେଇ ଆଶଙ୍କା କରାଯାଉଛି । ତେବେ ବରେତେତମାନ ସୁଦ୍ଧା ପାଣପାଗ ବିଭାଗ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇନଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଲୋକେ ।