ନୂଆଦିଲ୍ଲୀ: ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ପ୍ରବେଶ କରି ସାରିବା ପରେ ଏବେ ବର୍ଷା ଜାରି ରହିଛି । ଆସନ୍ତା ୧-୨ ସପ୍ତାହ ମଧ୍ୟରେ ଦିଲ୍ଲୀରେ ମୌସୁମୀ ପ୍ରବେଶ କରିବ । ତେବେ ଆଗାମୀ ଦିନମାନଙ୍କରେ କିଛି ରାଜ୍ୟର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ଆସନ୍ତା ଏକରୁ ଦୁଇ ଦିନ ମଧ୍ୟରେ ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ସମେତ କିଛି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏନେଇ ସତର୍କତା ସୂଚନା ଜାରି କରାଯାଇଛ ।
ଆଇଏମଡି ସୂଚନା ମୁତାବକ, ୨୯ ଓ ୩୦ ତାରିଖ ଦୁଇଦିନ ପୂର୍ବ ୟୁପିରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ୨୯ ତାରିଖ ପାଇଁ ଉତ୍ତରାଖଣ୍ଡରେ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ପଶ୍ଚିମ ୟୁପି ପାଇଁ ୨୯, ୩୦ ଜୁନ ଓ ୧ ଜୁଲାଇ, ହିମାଚଳ ପ୍ରଦେଶ ପାଇଁ ୨୯, ୩୦ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଜୁଲାଇ ୧ରେ ଜମ୍ମୁ କଶ୍ମୀର, ଲଦାଖ , ଗିଟଗିଟ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି ।
ଏଥିସହିତ ଦିଲ୍ଲୀ ଓ ହରିୟାଣା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୨୯ ତାରିଖରେ ପଞ୍ଜାବର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ । ୩୦ ଜୁନରେ ଝଡ଼ ତୋଫାନ ସହ ଘଡ଼ଘଡ଼ି ବର୍ଷା ହୋଇପାରେ । ଜୁଲାଇ ୧ରେ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ବହିପାରେ । ଜୁଲାଇ ୨ରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ୟୁପି, ପଶ୍ଚିମ ଓ ପୂର୍ବ ରାଜସ୍ଥାନରେ ବର୍ଷା ସମ୍ଭାବନା ରହିଛି ।