ହାଇକୋର୍ଟଙ୍କ ବଡ଼ ରାୟ: ଡିଗ୍ରୀଧାରୀ ଇଞ୍ଜିନିୟରମାନେ କନିଷ୍ଠ ଯନ୍ତ୍ରୀ ପଦରେ ଆବେଦନ କରିପାରିବେନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଗ୍ରୀଧାରୀ ଇଞ୍ଜିନିୟରମାନେ କନିଷ୍ଠ ଯନ୍ତ୍ରୀ ପଦରେ ଆବେଦନ କରିପାରିବେ ନାହିଁ । କେବଳ ଡିପ୍ଲୋମା ଇଞ୍ଜିନିୟରମାନେ ଏହି ପଦରେ ଆବେଦନ କରିପାରିବେ । ଓଡ଼ିଶା ହାଇକୋର୍ଟ ଏନେଇ ଏକ ବଡ଼ ଶୁଣାଣି କରିଛନ୍ତି । ତେବେ ଉଚ୍ଚ ନ୍ୟାୟାଳୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପରେ ଏବେ ଡିପ୍ଲୋମା ଧାରୀମାନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । କିଛି ବ୍ୟକ୍ତିଙ୍କ ପକ୍ଷରୁ ଆଗତ ହୋଇଥିବା ଏକ ମାମଲାର ବିଚାର କରି ବିଚାରପତି ରାଧାକୃଷ୍ଣ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ, ଗତ ୨୦୦୪ ମସିହାରେ ୧ ହଜାରରୁ ଅଧିକ କନିଷ୍ଠ ଯନ୍ତ୍ରୀ (ଜେଇ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିପାଇଁ କେବଳ ଡିପ୍ଲୋମାଧାରୀମାନେ ଆବେଦନ କରିପାରିବେ ବୋଲି କୁହାଯାଇଥିଲା । ତେବେ ତାହାକୁ ବିରୋଧ କରି ଡିଗ୍ରୀଧାରୀ ଇଞ୍ଜିନିୟରମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବା ସହ ଡିପ୍ଲୋମା ଠାରୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅଧିକ ବୋଲି ସେମାନେ ଦର୍ଶାଇଥିଲେ । ତେବେ ନ୍ୟାୟାଳୟ ପ୍ରଥମେ ଆବେଦନକାରୀଙ୍କୁ ଆବେଦନ କରିବାକୁ ଅନୁମତି ଦେଇଥିଲେ ।

ତେବେ ଡିଗ୍ରୀଧାରୀମାନେ ଏହି ପଦ ଲାଗି ପରୀକ୍ଷା ଦେଲେ ମଧ୍ୟ କୋର୍ଟଙ୍କ ବିନା ଅନୁମତି ରେ ରେଜଲ୍ଟ ପ୍ରକାଶ ପାଇପାରିବ ନାହିଁ ବୋଲି ଅନ୍ତରୀଣ ଆଦେଶରେ ସ୍ପଷ୍ଟ କରିଥିଲେ । ଏହି ମାମଲାକୁ ବିରୋଧ କରି ଡିପ୍ଲୋମା ଧାରୀଙ୍କ ପକ୍ଷରୁ ମିସ୍ କେସ୍ ଦାୟର ହୋଇଥିଲା । ଫଳରେ ଅଦାଲତ ପୂର୍ବ ଆଦେଶରେ ସଂଶୋଧନ କରିବା ସହ ଡିଗ୍ରୀଧାରଈଙ୍କ ପରୀକ୍ଷା ଉପରେ ଅଙ୍କୁଶ ଲଗାଇଥିଲେ । ନିଯୁକ୍ତି ପ୍ରକ୍ରିୟାରେ କେଉଁମାନେ ଆପ୍ଲାଏ କରିପାରିବେ ସେନେଇ ରାଜ୍ୟ ସରକାରଙ୍କ ଏକ ନିୟମାବଳୀ ରହିଛି । ନିୟମ ଅନୁସାରେ, ଜେଇ ପଦ ପାଇଁ କେବଳ ଡିପ୍ଲୋମା ଧାରୀମାନେ ହିଁ ଆବେଦନ କରିପାରିବେ ବୋଲି ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଯୁକ୍ତିକୁ ନ୍ୟାୟାଳୟ ଗ୍ରହଣ କରିବା ସହ ଡିଗ୍ରୀଧାରୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।