କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ, ମାର୍ଚ୍ଚ ୮ରେ ପରବର୍ତ୍ତୀ ଶୁଣାଣି

ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିବା ନେଇ ବାରିପଦା ଥାନାରେ ହୋଇଥିଲା ଅଭିଯୋଗ

ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ସୁରକ୍ଷା ଦେଲେ ହାଇକୋର୍ଟ । କେନ୍ଦ୍ରମନ୍ତ୍ରୀ ଦିଆଗଲା ଅନ୍ତରୀଣ ସୁରକ୍ଷା । ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ଆସିଛି ନୂଆ ଅପଡେଟ  । ପୂର୍ବରୁ ଆଗୁଆ ଜାମିନ ପାଇଁ ମନ୍ତ୍ରୀ କରିଥିଲେ ଆବେଦନ ।

୨ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ନେଇ ବାରିପଦା ଥାନାରେ ଅଭିଯୋଗ ହୋଇଥିଲା  । ଗତ ଜାନୁଆରୀ ୨୧ ତାରିଖରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ୍ ର ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା  । ଏହି ମାମଲାରେ ଦୁଇ କର୍ମଚାରୀ ଅଶ୍ୱିନୀ କୁମାର ମଲ୍ଲିକ ଓ ଦେବାଶିଷ ମହାପାତ୍ର ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ  । ଏପରିକି ଜଣକ ହାତ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଜାନୁଆରୀ ୨୨ ତାରିଖରେ ବାରିପଦା ଟାଉନ ଥାନାରେ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଅଭିଯୋଗ ହୋଇଥିଲା ତେବେ ପରବର୍ତ୍ତୀ ସମୟରେ ମନ୍ତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଆଗକୁ ନିର୍ବାଚନ ଆସୁଥିବାରୁ ତାଙ୍କୁ ବଦନାମ କରାଯାଉଥିବା କହିଥିଲେ  ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଆଇପିସି ଧାରା, ୩୨୩, ୩୨୫, ୨୯୪, ୫୦୬ ଧାରା ଲଗାଇ ପୁଲିସ ତଦନ୍ତ ଚଲାଇଛି  । ଦୁଇ ଅଭିଯୋଗକାରୀଙ୍କ ବୟାନ ୧୬୪ ଧାରରେ ରେକର୍ଡ କରାଯାଇଛି  । ଏହା ପରେ ପୋଲିସ ଗିରଫଦାରୀକୁ ଏଡାଇବା ପାଇଁ ମନ୍ତ୍ରୀ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ  । ଆଜି ହାଇକୋର୍ଟ ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି  । ଏହା ସହ ଚାଲିଥିବା ତଦନ୍ତରେ ସହଯୋଗ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ରହିଛି । ଏହା ସହ ମନ୍ତ୍ରୀଙ୍କୁ ଆସନ୍ତା ମାର୍ଚ୍ଚ ୪ରେ ତଦନ୍ତକାରୀ ଅଧବକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ମାସ ୮ ତାରିଖରେ ହେବ  ।