fbpx

ଇତିହାସ ରଚିଲା ହିମାଚଳ ପ୍ରଦେଶ: ୫ ଥର ଚାମ୍ପିୟନ ଦଳକୁ ପରାସ୍ତ କରି ହାତେଇଲା ବିଜୟ ହଜାରେ ଟ୍ରଫି

ନୂଆଦିଲ୍ଳୀ: ୫ ଥର ଚାମ୍ପିୟନ ତାମିଲନାଡୁକୁ ପରାସ୍ତ କରି ବିଜୟ ହଜାରେ ଟ୍ରଫି ବିଜୟୀ ହୋଇଛି ହିମାଚଳ ପ୍ରଦେଶ । ଭିଜେଡି ମେଥଡ ଅନୁଯାୟୀ ହିମାଚଳ ୧୧ ରନରେ ବିଜୟୀ ହେବା ସହିତ ନିଜର ପ୍ରଥମ ଘରୋଇ ଟ୍ରଫି ହାସଲ କରି ଇତିହାସ ରଚିଛି । ୩୧୫ ରନ ଲକ୍ଷ୍ୟର ପିଛା କରି ୪୭.୩ ଓଭରରେ ୪ ୱିକେଟ ହରାଇ ୨୯୯ରନ କରିଥିଲା । ଖେଳ ବନ୍ଦ ବେଳକୁ ଆବଶ୍ୟକ ରନରେଟ ଅନୁଯାୟୀ ହିମାଚଳ ପ୍ରଦେଶ ୧୧ ରନରେ ବିଜୟୀ ହୋଇଥିଲା । ୫ଥର ଚାମ୍ପିୟନ ତଥା ଆନ୍ତର୍ଜାତୀୟ ଅଭିଜ୍ଞତାରେ ଭରପୁର ତାମିଲନାଡୁ ଦଳକୁ ପରାଜିତ କରିଥିଲା ରିଷି ଧୱନଙ୍କ ହିମାଚଳ ପ୍ରଦେଶ ।

୫ ଥର ଚାମ୍ପିୟନ ତାମିଲନାଡୁ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଦଳର ଆରମ୍ଭ ଅତ୍ୟନ୍ତ ଦୟନୀୟ ରହିଥିଲା । ୪୦ ରନରେ ୪ ୱିକେଟ ହରାଇଥିବା ଦଳକୁ ଏହି ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ ଦୀନେଶ କାର୍ତ୍ତିକ ଓ ବାବା ଇନ୍ଦ୍ରଜିତ୍ । କାର୍ତ୍ତିକ ୧୦୩ ବଲ ଖେଳି ୮ଟି ଚୌକା ଓ ୭ ଛକା ସହିତ ୧୧୬ ରନ କରିଥିବା ବେଳେ ଇନ୍ଦ୍ରଜିତ ୭୧ ବଲରୁ ୮୦ ରନ କରିଥିଲେ । ଶେଷ ଆଡକୁ ଶାହରୁଖ ଖାନଙ୍କ ୪୨ ଓ ବିଜୟ ଶଙ୍କରଙ୍କ ୨୨ ରନ ବଳରେ ଦଳ ୩୦୦ ରନ ପାର କରିଥିଲା । ତାମିଲନାଡୁ ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ୩୧୪ ରନ ସଂଗ୍ରହ କରିଥିଲା । ପଙ୍କଜ ଜୟସ୍ୱାଲ ଜବାବରେ ହିମାଚଳ ପ୍ରଦେଶ ଶୁଭମ ଅରୋରାଙ୍କ ଅପରାଜିତ ୧୩୬ରନ ବଳରେ ୧୫ ବଲ ପୂର୍ବରୁ ଦଳ ବିଜୟୀ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅମିତ କୁମାର ୭୯ ବଲରୁ ୭୪ ରନ କରିଥିବା ବେଳେ ଅଧିନାୟକ ରିଷି ଧୱନ ୨୩ ବଲରୁ ୪୨ ରନ କରିଥିଲେ । ଅରୋରା ୧୩୧ ବଲ ଖେଳି ୧୩ ଚୌକା ଓ ୧ ଛକା ମାରିଥିଲେ । ଅପରାଜିତ ଶତକ ପାଇଁ ଶୁଭମ ଅରୋରାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.