ନୂଆଦିଲ୍ଲୀ: ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ନେଉନାହିଁ। ଶୁକ୍ରବାର ଦିନ ନାନକାନା ସାହିବ ଯାଉଥିବା ଜଣେ ହିନ୍ଦୁ ଭକ୍ତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗୁରୁ ନାନକ ଦେବଙ୍କ ୫୫୫ତମ ଜୟନ୍ତୀ ଅବସରରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ବୁଧବାର ଏହି ଘଟଣା ସାମ୍ନାକୁ ଆସିଛି।
ସିନ୍ଧରେ ରହୁଥିବା ରାଜେଶ କୁମାର ତାଙ୍କ ସାଙ୍ଗ ଓ ସମ୍ପର୍କୀୟଙ୍କ ସହ ଏକ କାର୍ରେ ନନକାନା ସାହିବ ଅଭିମୁଖେ ଯାଉଥିଲେ। ହଠାତ୍ ବାଟରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କଠାରୁ ସାଢ଼େ ୪ ଲକ୍ଷ ପାକିସ୍ତାନୀ ଟଙ୍କା ଲୁଟି ନେଇଥିଲେ। ଏହାବ୍ୟତୀତ ଡ୍ରାଇଭରଙ୍କଠାରୁ ୧୦ ହଜାର ପାକିସ୍ତାନୀ ଟଙ୍କା ମଧ୍ୟ ନେଇଥିଲେ।
ରାଜେଶ ଅପରାଧୀଙ୍କ ବିରୋଧରେ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଗୁଳି କରିଥିଲେ। ଏହାପରେ ଅପରାଧୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ଗୁଳି ବାଜିବା ପରେ ରାଜେଶ କୁମାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା। କୁମାରଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ପାକିସ୍ତାନ ଦଣ୍ଡ ବିଧିର ସମ୍ପୃକ୍ତ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।
ଶୁକ୍ରବାର ଗୁରୁଦ୍ୱାର ଜନସ୍ଥାନ ନାନକାନା ସାହିବରେ ଗୁରୁ ନାନକ ଦେବଜୀଙ୍କ ପ୍ରକାଶ ପର୍ବର ମୁଖ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଭାରତରୁ ୨୫୦୦ରୁ ଅଧିକ ଶିଖ୍ ଏବଂ ବହୁ ସଂଖ୍ୟକ ଦେଶୀ ଓ ବିଦେଶୀ ଶ୍ରଦ୍ଧାଳୁ ଏଥିରେ ଅଂଶଗ୍ରହଣ କରିଥିଲେ।