ସାମ୍ନାରେ ବନ୍ଧୁକ ଧରି ଛିଡା ହୋଇଥିଲେ ଆତଙ୍କବାଦୀ, କଲମା ପାଠ ପାଇଁ ହିନ୍ଦୁ ପ୍ରଫେସରଙ୍କୁ ମାରିଲେନି ଗୁଳି
ପହଲଗାମ ଆକ୍ରମଣରେ ଚାଲିଯାଇଛି ୨୬ଟି ନିରୀହ ଜୀବନ। ହେଲେ ଏହି ଆକ୍ରମଣରୁ ଜଣେ ହିନ୍ଦୁ ପ୍ରଫେସର ତାଙ୍କର ଉପସ୍ଥିତ ବୁଦ୍ଧି ପାଇଁ ନିଜ ଜୀବନ ସହ ପୁରା ପରିବାରର ଜୀବନ ବଞ୍ଚାଇ ପାରିଛନ୍ତି।
ପହଲଗାମ୍: ପହଲଗାମ୍ ଆତଙ୍କୀ ଆକ୍ରମଣ। ଏବେସୁଦ୍ଧା ୨୬ ଜଣ ଲୋକଙ୍କର ଜୀବନ ଯାଇଥିବା ସୂଚନା ମିଳିଥିବା ବେଳେ, ସମସ୍ତ ମୃତ ବ୍ୟକ୍ତି ହିନ୍ଦୁ ବୋଲି ଜଣାପଡିଛି। ବିଶେଷ କରି ଆତଙ୍କବାଦୀ ମାନେ ଧର୍ମ ପଚାରି ହିନ୍ଦୁମାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ହେଲେ ଜଣେ ହିନ୍ଦୁ ସେହି ସ୍ଥାନରୁ ନିଜର ଉପସ୍ଥିତ ବୁଦ୍ଧି ପାଇଁ ନିଜ ଜୀବନ ବଞ୍ଚାଇପାରିଛନ୍ତି।
କେବଳ ସେତିକି ନୁହେଁ ସେ ତାଙ୍କର ପୁରା ପରିବାରକୁ ମଧ୍ୟ ଆତଙ୍କବାଦୀଙ୍କ ଗୁଳିରୁ ସୁରକ୍ଷିତ ରଖିପାରିଛନ୍ତି। ହଁ ସାମ୍ନାରେ ବନ୍ଧୁକ ଧରି ଛିଡା ହୋଇଥିଲେ ଆତଙ୍କବାଦୀ। ଆଉ ପଚାରିଥିଲେ କେଉଁ ଧର୍ମର। ଯେହେତୁ ଆତଙ୍କବାଦୀମାନେ ମୁସଲମାନମାନଙ୍କୁ ଛାଡି ଦେଉଥିଲେ ତେଣୁ କଲମା ପାଠ କରି ଏହି ହିନ୍ଦୁ ପ୍ରଫେସର ନିଜ ଜୀବନ ଫେରି ପାଇଲେ।
ପହଲଗାମ ଆକ୍ରମଣରୁ ସୁରକ୍ଷିତ: ଆସାମ ବିଶ୍ୱବିଦ୍ୟାଳୟର ବଙ୍ଗଳା ବିଭାଗର ସହଯୋଗୀ ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟ। ପହଲଗାମ ଆକ୍ରମଣରୁ ବଞ୍ଚିଯାଇଥିବା ଜଣେ ବ୍ୟକ୍ତି। ସେ ବୈସାରଣ ନିକଟରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ଆତଙ୍କବାଦୀଙ୍କ ହାତରେ ଧରାପଡିଥିଲେ।
ହେଲେ ନିଜର ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଯାଇଥିଲେ। ଯାହାର ଲୋମଟାଙ୍କୁରା କାହାଣୀ ସେ ବଖାଣିଛନ୍ତି। ଭଟ୍ଟାଚାର୍ଯ୍ୟ କହିଥିଲେ ଯେ ଆତଙ୍କବାଦୀମାନେ ହାତରେ ବନ୍ଧୁକ ଧରି ତାଙ୍କ ଆ଼ଡକୁ ଆସିଥିଲେ।
ଆଉ ମୋ ପାଖକୁ ଆସି ମତେ ପଚାରିଲ ତୁମେ କ’ଣ କରୁଛ? ଆଉ ସେମାନଙ୍କ କଥା ଶୁଣି ମୁଁ ଜୋରରେ କଲମା ପାଠ କରିବାକୁ ଲାଗିଲି। ଆଉ ତାପରେ ମତେ କିଛି ନ କହି ସେମାନେ ମୋ ଠାରୁ ମୁହଁ ଫେରାଇ ନେଇ ଚାଲିଗଲେ।
ଘୋଡା ଟାପୁ ପାଇଁ ଜୀବନ ବଞ୍ଚିଲା: ପ୍ରଫେସର ଆହୁରି ମଧ୍ୟ କହିଥିଲେ, ଯେତେବେଳେ ଆତଙ୍କବାଦୀମାନେ ତାଙ୍କ ପାଖରୁ କିଛି ବାଟ ଦୂରକୁ ଯାଇ ଅନ୍ୟ ଲୋକଙ୍କ ଉପରେ ଆକ୍ରମଣ କରୁଥିଲେ, ସେହି ସମୟର ସୁଯୋଗ ନେଇ ତାଙ୍କ ସ୍ତ୍ରୀ ଓ ପୁଅକୁ ନେଇ ଧିରେ ଧିରେ ସେଠାରୁ ଖସିବାକୁ ଚେଷ୍ଟା କଲେ।
ଆଉ ଧିରେ ଧିରେ ପାହାଡ ଉପରକୁ ଜଙ୍ଗଲ ଭିତରକୁ ପଶିଗଲେ। ଫଳରେ ସେମାନେ ବାଟ ମଧ୍ୟ ନପାଇ ଜଙ୍ଗଲ ଭିତରେ ହଜିଗଲେ। ହେଲେ ଘୋଡାର ଟାପୁ ଚିହ୍ନ ଅନୁସରଣ କରି ଶେଷରେ ଜଣେ ଘୋଡ଼ା ଚାଳକଙ୍କ ପାଖରେ ପହଞ୍ଚିଲେ। ଆଉ ତାଙ୍କ ସାହାର୍ଯ୍ୟରେ ସେ ହୋଟେଲରେ ପହଞ୍ଚିଲେ।