fbpx

ଘରେ ପଶି ନାବାଳକକୁ ହତ୍ୟା ମାମଲା: ଅଭିଯୁକ୍ତ କହିଲେ ଟିଉସନ୍ ଫି’ ପାଇଁ କାଟିଦେଲି ତଣ୍ଟି! ମୃତକଙ୍କ ବାପା କହିଲେ ସିବିଆଇ ତଦନ୍ତ ହେଉ

ଖୋର୍ଦ୍ଧା: ଛୁରାମାଡ଼ରେ ଜଣେ ୧୪ ବର୍ଷୀୟ ଛାତ୍ରର ମୃତ୍ୟୁ ଘଟିଥିଲା । ଏପରି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀରେ ଘଟିଥିଲା । ମୃତକ ଜଣକ ହେଲେ ଜଟଣୀ ଆଦର୍ଶ ବିଦ୍ୟାଳୟର ନମବ ଶ୍ରେଣୀ ଛାତ୍ର ଶୁଭମ ସ୍ୱରୁପ । ବୁଧବାର ଦିନ ଶୁଭମ ଟ୍ୟୁସନକୁ ଯାଇଥିବା ବେଳେ ଦୁର୍ବୃତ୍ତ ଛୁରାମାଡ଼ କରି ଚାଲିଯାଇଥିଲା । ତେବେ ଏ ନେଇ ଜଟଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା । ତେବେ ହତ୍ୟା ପଛରେ ଥିବା କାରଣ ବର୍ତ୍ତମାନ ସାମ୍ନାକୁ ଆସିଛି ।

ଜଟଣୀ ବେଣାପଞ୍ଜରୀରେ ଘରେ ପଶି ନାବାଳକକୁ ହତ୍ୟା କରାଯାଇଥିଲା । ତେବେ ଏହାର ପଛର ପ୍ରକୃତ କାରଣ ହେଉଛି ଟିଉସନ୍ ଫି’ ପାଇଁ ନାବାଳକକୁ ହତ୍ୟା ହୋଇଛି ବୋଲି ଡିସିପି କହିଛନ୍ତି । ଏନେଇ ପ୍ରେସମିଟରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ମୃତ ବାଳକର ବାପା-ମା ଟିଉସନ କରନ୍ତି । ଏହି ହତ୍ୟା କରିଥିବା +୨ ଛାତ୍ର ଜଣକ ସେଠାରେ ଟିଉସନ ହେଉଥିଲେ । ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ ଫି’ ବାକି ରହିଥିଲା ।

+୨ ଛାତ୍ରଙ୍କୁ ବାକି ଟଙ୍କା ଦେବା ପାଇଁ ବାରମ୍ବାର କହୁଥିଲେ ଟିଉସନ ସାର । ଏନେଇ ଲଜ୍ଜିତ ହେବା ସହ ପ୍ରତିଶୋଧ ପରାୟଣ ହୋଇଥିଲା ସେହି ବାଳକ । କାଲି ସଂଧ୍ୟାରେ ନାବାଳକ ଜଣକ ଘରେ ପଢୁଥିବା ବେଳେ ଅଭିଯୁକ୍ତଜଣକ ତାଙ୍କ ଘରେ ପଶି ଛୁରୀରେ ଆକ୍ରମଣ କରିଥିଲେ । ଘଟଣା ପାଇବା ପରେ ପୋଲିସ ସେଠାରୁ ଗୋଟିଏ ବ୍ୟାଗ୍ ଓ ୟୁନିଫର୍ମ ପାଇଥିଲା । ସେହି ସୁରାକ ଆଧାରରେ କାଲି ଅଭିଯୁକ୍ତ ଛାତ୍ରକୁ ଧରାଯାଇଛି । ଅଭିଯୁକ୍ତ ଛାତ୍ରଜଣକ ହତ୍ୟା କରିଥିବା ସ୍ୱୀକାର କରିଛି ବୋଲି ଡିସିପି କହିଛନ୍ତି । ବାରମ୍ବାର ପଇସା ମାଗିବାରୁ ସେ ଏଭଳି କରିଛି ବୋଲି କହିଛି ।

ଅନ୍ୟପଟେ ଡିସିପିଙ୍କ ମନ୍ତବ୍ୟକୁ ଗ୍ରହଣ କରିପାରିଲେନି ମୃତ ଛାତ୍ରଙ୍କ ବାପା । ମୃତ ନବମ ଶ୍ରେଣୀ ଛାତ୍ରଙ୍କ ବାପା ମନୋଜ ପାଲଟାସିଂଙ୍କ ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି ‘ସଂପୃକ୍ତ ଛାତ୍ରକୁ ମୁଁ କେବେ ମଧ୍ୟ ଟିଉସନ ଫି ମାଗି ନାହିଁ । ସେ ଆମ ଦୂର ସଂପର୍କୀୟ ଚିହ୍ନା ପରିଚିତ ହୋଇଥିବାରୁ ମୁଁ ତାଙ୍କୁ କେବେ ଟଙ୍କା ମାଗିନାହିଁ । ମୃତକଙ୍କ ବାପା ପୁଣି କହିଛନ୍ତି ଯେ, ସୁପାରୀ ଦେଇ ମୋ ପୁଅକୁ ହତ୍ୟା କରାଯାଇଛି । ସାମାନ୍ୟ ଟଙ୍କା ୩ ହଜାର ପାଇଁ ମାରିଥିବା ବିଶ୍ୱାସ ହେଉଛି କି ବୋଲି ମଧ୍ୟ ପ୍ରଶ୍ନ ପଚାରିଛନ୍ତି । ଡିସିପି ଯାହା କହୁଛନ୍ତି, ମୁଁ ତାକୁ ଆଦୌ ଗ୍ରହଣ କରିପାରୁନି । ଘଟଣାରେ ଏକାଧିକ ସଂପୃକ୍ତ ଅଛନ୍ତି, ସିବିଆଇ ତଦନ୍ତ ହେଉ’ ।

Get real time updates directly on you device, subscribe now.