fbpx
BJD SKY
BJD SKY

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଶ୍ରାବଣ ଶେଷ ସୋମବାରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ

BJD

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ରବିବାର ରାତି ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରେ ରାତ୍ରି ଯାପନ କରିବେ । ୮ ତାରିଖ ସକାଳେ ଶ୍ରାବଣ ମାସ ଶେଷ ସୋମବାର ହୋଇଥିବାରୁ ଶ୍ରୀ ଶାହା ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନକରିବେ । ଏହାପରେ ଅମୃତ ମହୋତ୍ସବ ଅବସରରେ ନେତାଜୀଙ୍କ ଜନ୍ମସ୍ଥାନ କଟକ ଯାଇ ତାଙ୍କ ଜନ୍ମପୀଠରେ ବୁଲିବା ସହ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।

ଏହାପରେ କଟକ ଇଣ୍ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରୁ ଫେରିବା ପରେ ଦିନ ୩ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କୋର୍‌ କମିଟି ସଦସ୍ୟ ଓ ପଦାଧିକାରୀଙ୍କ ସହ ବୈଠକରେ ମିଳିତ ହେବେ । ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଅପରାହ୍ଣ ୫ଟାରେ ସେ ଡିଜିଟାଲ୍‌ ଇଣ୍ଡିଆର ଉନ୍ମୋଚନ କରିବେ । ସନ୍ଧ୍ୟା ୬ଟା ୧୫ରେ ସେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଶ୍ରୀ ଶାହାଙ୍କ ଗସ୍ତକୁ ନଜରରେ ରଖି ବିଜେପି ପକ୍ଷରୁ ପ୍ରସ୍ତୁତି ପର୍ବକୁ ଜୋର୍‌ଦାର୍‌ କରାଯାଇଛି । ହୋଡିଂରେ ରାସ୍ତାଘାଟ ଭର୍ତ୍ତି ହୋଇଯାଇଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି, ଆଜାଦୀ କା ଅମୃତ ମହୋତ୍ସବ ତଥା ତ୍ରିରଙ୍ଗା ଯାତ୍ରା ଅବସରରେ ଶ୍ରୀ ଶାହାଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଶାହାଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.