fbpx

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଗର୍ଭଗୃହ, ରତ୍ନ ସିଂହାସନ ସୁରକ୍ଷିତ ଥିବା ସୂଚନା, ଖୁବ୍‌ଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର

ପୁରୀ (ଭାସ୍କର ନ୍ୟୁଜ୍‌) : ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନ ସୁରକ୍ଷିତ ଥିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି । ବୈଠକରେ ରତ୍ନ ସିଂହାସନ ପଛ ପାଶ୍ୱର୍ରୁ ଲାଇନ୍‌ ପ୍ଲାଷ୍ଟର ଖସିଥିବା ନେଇ ବୈଠକରେ ସ୍ପଷ୍ଟ କରାଯାଇଥିଲା । ଏନେଇ ଏଏସ୍‌ଆଇ ପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଛି । ତେବେ ଆସନ୍ତା ରଥଯାତ୍ରା ପୂର୍ବରୁ ଏହାକୁ ପୁନଃପ୍ଲାଷ୍ଟର କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ବୈଠକରେ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦିଆଯାଇଥିଲା । ସେ ମଧ୍ୟରେ ଆଦର୍ଶ ଗୁରୁକୁଳ ନେଇ ଏମ୍‌ଓୟୁ କରିବାକୁ ତଥା ସୋସାଇଟି ଗଠନକୁ ବୈଠକରେ ଅନୁମୋଦନ ମିଳିଥିଲା । ଏଥିସହ ଲ୍ୟାଣ୍ଡ ସବ୍‌କମିଟି ବୈଠକର ନିଷ୍ପତ୍ତିକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଥିଲା ।

ଅନ୍ୟପକ୍ଷରେ ଭକ୍ତମାନଙ୍କ ପାଇଁ ଖୁବ୍‌ ଶୀଘ୍ର ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ । ଏପରିକି ରୋଷଘରକୁ ଯେପରି କେହି ପ୍ରବେଶ କରିନପାରନ୍ତି ସେନେଇ ବ୍ୟାରିକେଡ୍‌ ମଧ୍ୟ ନିର୍ମାଣ କରାଯିବ । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲିବ ତାକୁ ନେଇ ବିଭିନ୍ନ ମହଲରେ ସଂଶୟ ସୃଷ୍ଟି ହୋଇଥିବାବେଳେ ଏଏସ୍‌ଆଇର ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବେଦନ କରାଗଲେ ଏଏସ୍‌ଆଇ ଏନେଇ ପଦକ୍ଷେପ ନେବ । ତା’ପରେ ରତ୍ନଭଣ୍ଡାର ଯାଞ୍ଚ କରାଯିବ । ଆବେଦନର ଗୁରୁତ୍ୱକୁ ଆଖି ଆଗରେ ରଖି ଅଗ୍ରାଧିକାର ଭିତ୍ତିରେ ଏହାକୁ ଖୋଲିବା ପାଇଁ ପଦକ୍ଷେପ ନେବୁ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ରତ୍ନଭଣ୍ଡାର ଖୋଲିବା ପାଇଁ ଦୀର୍ଘ ଦିନ ହେବ ସେବାୟତ, ଭକ୍ତ ଓ ଅନ୍ୟମାନେ ଦାବି କରିଆସୁଥିଲେ ମଧ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Get real time updates directly on you device, subscribe now.