fbpx

ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ CAA: କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶରେ ନାଗରିକ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିବା ନେଇ ଦୀର୍ଘଦିନ ଧରି ବିତର୍କ ଲାଗି ରହିଥିବା ବେଳେ ଏହାକୁ ଲାଗୁ କରିବା ପାଇଁ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହା ମଧ୍ୟରେ ସିଏଏକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ଲୋକସଭା ନିର୍ବାଚନା ପୂର୍ବରୁ ଦେଶରେ ସିଏଏ ଲାଗୁ କରାଯିବ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ଘୋଷଣା କରିଛନ୍ତି ।

ଏକ ଟିଭି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ଶାହ କହିଛନ୍ତି, ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ କରାଯିବ । ଗତ ୨୦୧୯ ମସିହାରେ ସିଏଏ ଆଇନ ପାରିତ ହୋଇଥିଲା । ଏ ସମ୍ବନ୍ଧରେ ନିୟମ ଜାରି କରାଯିବା ପରେ ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରିଦିଆଯିବ । ଏନେଇ ଲୋକଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ରଖାଯିବ ନାହିଁ । ନିର୍ବାଚନ ପୂର୍ବରୁ ହିଁ ଦେଶରେ ସିଏଏ କାର୍ଯ୍ୟକାରୀ ହେବ । ମୁସଲମାନ ଭାଇମାନଙ୍କୁ ସିଏଏ ବିରୋଧରେ ଉସୁକା ଯାଉଛନ୍ତି । ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ନିର୍ଯାତନାର ଶିକାର ହୋଇ ଭାରତ ଆସିଛନ୍ତି, କେବଳ ସେମାନଙ୍କୁ ଭାରତୀୟ ନାଗରିକତା ମିଳିବ ।

ସିଏଏ ହେଉଛି ନାଗରିକତା ସହ ଜଡ଼ିତ ଏକ ଆଇନ । ଏହା ଲାଗୁ ହେବା ଫଳରେ ସିଧାସଳଖ ଭାବେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ଲୋକଙ୍କୁ ନାଗରିକତା ମିଳିଯିବ । ୨୦୧୪ ପୂର୍ବରୁ ବିଭିନ୍ନ କାରଣରୁ ଭାରତକୁ ଆସିଥିବା ବିଦେଶୀ ନାଗରିକଙ୍କୁ ଏହି ନାଗରିକତା ମିଳିବ । ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ, ଖ୍ରୀଷ୍ଟିୟାନ ପରି ଅଣମୁସଲିମ୍ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା ମିଳିଯିବ । ଦେଶର ବିଭିନ୍ନ ରାଜ୍ୟରରେ ରହୁଥିବା ସଂଖ୍ୟାଲଘୁମାନେ ମଧ୍ୟ ନାଗରିକତା ପାଇ ପାରିବେ ।

୨୦୧୬ ମସିହାରେ ପ୍ରଥମ ଥର ପାଇଁ ଏହା ଲୋକସଭାରେ ଆଗତ ହେବା ସହ ପାସ୍ ହୋଇଯାଇଥିଲା । ମାତ୍ର ରାଜ୍ୟସଭାରେ ତାହା ଅଟକି ଯାଇଥିଲା । ୨୦୧୯ରେ ମୋଦୀ ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପୁଣି ଥରେ ଲୋକସଭାରେ ଏହାକୁ ପାସ୍ କରାଯାଇଥିଲା । ଏହାପରେ ତାହା ରାଜ୍ୟସଭାରେ ପାସ୍ ହୋଇଯିବା ପରେ ୨୦୨୦ ମସିହା ଜାନୁଆରୀ ୧୦ ତାରିଖରେ ତାହା ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲାଭ କରିଥିଲା । ସିଏଏ ଲାଗୁ ହେବା ନେଇ ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିଲା । ବିରୋଧ ପ୍ରଦର୍ଶନ କରାଯିବା ପରେ ଏହା ଲାଗୁ ହୋଇ ପାରିନଥିଲା ।

Get real time updates directly on you device, subscribe now.