fbpx

ପୁଲୱାମା ଆକ୍ରମଣ ଷଡ଼ଯନ୍ତ୍ରରେ ସାମିଲ ପାକିସ୍ତାନୀ ନାଗରିକକୁ ଆତଙ୍କବାଦୀ ଘୋଷଣା କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ୨୦୧୯ରେ ଜମ୍ମୁ-କାଶ୍ମୀରରେ ପୁଲୱାମାରେ ଆତଙ୍କୀ ହମଲାରେ ସାମିଲ ଥିବା ପାକିସ୍ତାନୀ ନାଗରିକ ମୋହିଉଦ୍ଦୀନ ଔରଙ୍ଗଜେବ୍ ଆଲମଗୀରଙ୍କୁ ସୋମବାର ଆତଙ୍କବାଦୀ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପୁଲୱାମା ଆକ୍ରମଣରେ ସିଆରପିଏଫ୍ ଯବାନଙ୍କ ବସକୁ ଟାର୍ଗେଟ କରାଯାଇଥିଲା ଏବଂ ଏଥିରେ ୪୦ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ ।

ଏକ ବିବୃତ୍ତିରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ମକତବ ଅମୀର, ମୁଜାହିଦ ଭାଈ ଏବଂ ମୁହମ୍ମଦ ଭାଈଙ୍କ ନାମରେ ପରିଚିତ  ଆଲମଗୀର ପୁଲୱାମାରେ ସିଆରପିଏଫ୍ ର ଗ୍ରୁପ୍  ଉପରେ ଆକ୍ରମଣରେ ସାମିଲ ଥିଲା । ସେ ଜୈଶ-ଏ-ମୋହମ୍ମଦ ତରଫରୁ ଭାରତ ବିରୋଧୀ ଆତଙ୍କୀ ଗତିବିଧରେ ସାମିଲ ରହିଥିଲା ଏବଂ ପାକିସ୍ତାନୀ ନାଗରିକଙ୍କ ଠାରୁ ସଂଗଠନ ପାଇଁ ଚାନ୍ଦା ଏକାଠି କରିବାରେ ଲିପ୍ତ ଥିଲା ଏବଂ ସେହି ଟଙ୍କାକୁ କାଶ୍ମୀରକୁ ପଠାଉଥିଲା । ଆଲମଗୀର ଆତଙ୍କୀ ଗତିବିଧିକୁ ସହଜ କରିବା ଏବଂ ଜମ୍ମୁ କାଶ୍ମୀର ରେ ଭାରତୀୟ ସୁରକ୍ଷା ବଳ ଉପରେ ଆତଙ୍କୀ ହମଲାରେ ଓତଃପ୍ରତ ଭାବରେ ଜଡ଼ିତ ଥିଲା । ଆଉ ଏଥିପାଇଁ ତାଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଥିବା ନେଇ ସୂଚନା ଦେଇଛି ଗୃହ ମନ୍ତ୍ରାଳୟ ।

ଉଲ୍ଲେଖଯୋଗ୍ୟ, ପୁଲୱାମା ଆତଙ୍କୀ ହମଲାର କିଛି ଦିନ ପରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ୨୬ ଫେବୃଆରୀରେ ପାକିସ୍ତାନରେ ପଶି ଆକ୍ରମଣ କରିଥିଲେ । ବାୟୁସେନା ବାଲାକୋଟ ରେ ଥିବା ଆତଙ୍କୀ କ୍ୟାମ୍ପକୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣରେ ୩୦୦ ରୁ ଅଧିକ ଆତଙ୍କବାଦୀ ମୃତ ହୋଇଥିବା ନେଇ ଖବର ଆସିଥିଲା ।

ସେପଟେ ମାମଲାର ଯାଞ୍ଚ କରୁଥିବା ଏନଆଇଏ ର ଚାର୍ଜସିଟ୍ ଅନୁଯାୟୀ, ଆକ୍ରମଣର ଯୋଜନା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ କରିଥିଲେ । ଆତଙ୍କୀଙ୍କୁ ଟ୍ରେନିଂ ଦେବାପରେ ଆକ୍ରମଣ କରିବା ପାଇଁ ଭାରତ ପଠାଇଯାଇଥିଲା । ଆକ୍ରମଣରେ ଜଣେ ସ୍ଥାନୀୟ ଯୁବକ ଆଦିଲ ଅହମଦ ଡାରଙ୍କୁ ମଧ୍ୟ ବ୍ୟବହାର କରାଯାଇଥିଲା । ଆଦିଲ ସିଆରପିଏଫ୍ କ୍ୟାମ୍ପ ଉପରକୁ ବିସ୍ଫୋରକ ଥିବା କାରରେ ଆକ୍ରମଣ କରିଥିଲା । କୁହାଯାଉଛି ଏହି ଆକ୍ରମଣ ପଛରେ ପାକିସ୍ତାନୀ ସରକାରଙ୍କ ହାତ ରହିଥିଲା । ଏହାକୁ ନେଇ ଠୋସ ପ୍ରମାଣ ଥିବା ନେଇ ମଧ୍ୟ କୁହାଯାଉଛି । ଏହି ଆତଙ୍କୀ ଆକ୍ରମଣ ଦ୍ୱାରା ଭାରତରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟ ରହିଥିଲା ।

 

Get real time updates directly on you device, subscribe now.