fbpx

ଦିଲ୍ଲୀ ଯୁବତୀଙ୍କ ମୃତ୍ୟୁ ଘଟଣା: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, PCR ପୋଲିସ ସସପେଣ୍ଡ, DCPଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତମାସ ୩୧ ତାରିଖ ବିଳମ୍ବିତ ରାତ୍ରିରେ ଦିଲ୍ଲୀରେ ଘଟିଥିବା ମର୍ମନ୍ତୁଦ ଘଟଣା ସାରା ଦେଶକୁ ଚହଲାଇ ଦେଇଥିଲା । ପ୍ରଥମେ ଏହି ଘଟଣା ଏକ ସାଧାରଣ ମୃତ୍ୟୁ ପରି ଜଣାପଡ଼ୁଥିଲା ବେଳେ ପରେ ଏହି ମାମଲାରେ ନୂଆ ନୂଆ ରହସ୍ୟ ଖୋଲିବାରେ ଲାଗିଛି । ତେବେ ମୃତ ୨୦ ବର୍ଷୀୟା ଯୁବତୀ ଅଞ୍ଜଳି ସିଂହଙ୍କୁ ଏକ କାର ଦୀର୍ଘ ୧୩ କିମି ପର୍ଯ୍ୟନ୍ତ ରାସ୍ତାରେ ଘୋଷରି ନେଇଥିଲା । ପରେ ଗୋଟିଏ ସ୍ଥାନରୁ ଅଞ୍ଜଳିଙ୍କ ମୃତଦେହ ମିଳିବା ସହ ଅନ୍ୟ ଏକ ସ୍ଥାନରୁ ତାଙ୍କ ଭଙ୍ଗା ସ୍କୁଟି ମିଳିଥିଲା ।

ତେବେ ଇତିମଧ୍ୟରେ ଏହି ମାମଲାରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଦିଲ୍ଲୀ ପୋଲିସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣା ସମୟରେ ପିସିଆର ଭ୍ୟାନରେ ଡ୍ୟୁଟିରତ ଥିବା ପୋଲିସ କର୍ମୀଙ୍କୁ ତୁରନ୍ତ ସସପେଣ୍ଡ ଅର୍ଡର ଦିଆଯାଇଛି । ଏଥିସହିତ ଡିସିପିଙ୍କୁ ମଧ୍ୟ ଜବାବ ତଲବ କରାଯାଇଛି ।

ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି, ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ ପୋଲିସ ଏହି ମାମଲାର ରିପୋର୍ଟ ପ୍ରସ୍ତୁତ କରୁଥିଲା । ରିପୋର୍ଟ ମିଳିବା ପରେ ମନ୍ତ୍ରଣାଳୟ ଏହି ବଡ଼ ଆକ୍ସନ ଗ୍ରହଣ କରିଛି । ପୋଲିସ ପିକେଟିଂ ଓ ପିସିଆରରେ ରହିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରଣାଳୟ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ଅଞ୍ଜଳିଙ୍କ ବାନ୍ଧବୀ ନିଧିଙ୍କ ବୟାନ ବର୍ତ୍ତମାନ ତାଙ୍କୁ ସନ୍ଦେହ ଘେରକୁ ଟାଣିଛି । ଅଞ୍ଜଳି ସ୍କୁଟି ଚଳାଉଥିବା ସମୟରେ ସେ ମଦ୍ୟପାନ କରିଥିବା ନିଧି କହୁଥିବା ବେଳେ ପୋଷ୍ଟ ମର୍ଟମ ରିପୋର୍ଟରେ ମଦ୍ୟପାନ ବାବଦରେ କିଛି କୁହାଯାଇ ନାହିଁ ।

Get real time updates directly on you device, subscribe now.