କିପରି ହୋଇଥିଲା ଦଶମହାବିଦ୍ୟାଙ୍କର ଉତ୍ପତ୍ତି, ଜାଣନ୍ତୁ ଏହା ପଛରେ କ’ଣ ରହିଛି ପୌରାଣିକ ତଥ୍ୟ…?

ଓଡ଼ିଶା ଭାସ୍କର: ଦେବୀ ଶକ୍ତିଙ୍କ ୧୦ଟି ସ୍ୱରୂପ ୧୦ ମହାବିଦ୍ୟାଙ୍କ ଉତ୍ପତି ସମ୍ପର୍କରେ ଏକ ପୌରାଣିକ ଆଖ୍ୟାନ ପ୍ରଚଳିତ । ଦେବୀ ସତୀ ଭଗବାନ ଶିବଙ୍କୁ ବରଣ କରିବା ପରେ ତାଙ୍କ ପିତା ପ୍ରଜାପତି ଦକ୍ଷ ରୁଷ୍ଟ ହୋଇଥିଲେ । ଦକ୍ଷ ଏକ ଯଜ୍ଞର ଆୟୋଜନ କଲେ । ସେଥିରେ ସବୁ ଦେବଦେବୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ମାତ୍ର ଜାଣିଶୁଣି ଦକ୍ଷ ନିଜ ଜାମାତା ଶିବ ଏବଂ କନ୍ୟା ସତୀଙ୍କୁ ନିମନ୍ତ୍ରଣ କରିନଥିଲେ । ପିତାଙ୍କ ଠାରୁ ନିମନ୍ତ୍ରଣ ପାଇନଥିଲେ ମଧ୍ୟ ଦେବୀ ସତୀ ଯଜ୍ଞସ୍ଥଳକୁ ଯିବା ଲାଗି ଇଚ୍ଛା ପ୍ରକଟ କଲେ । ମାତ୍ର ଅପମାନିତ ହେବାର ଆଶଙ୍କାରେ ଶିବ ତାଙ୍କୁ ଏଥିପାଇଁ ବାରଣ କରିଥିଲେ ।
ତେବେ ଦେବୀ ସତୀ ଅତ୍ୟଧିକ ଆଗ୍ରହ ପ୍ରକାଶ କରିବାରୁ ଶିବ ବିରକ୍ତ ହୋଇ ତାଙ୍କୁ ଅନୁମତି ଦେଇଥିଲେ । ଶିବଙ୍କ ଏହି ବିରକ୍ତ ଭାବ ସତୀଙ୍କ ହୃଦୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ସେ କ୍ରୋଧିତ ହୋଇ ଦଶ ମହାବିଦ୍ୟାର ପ୍ରଥମ ସ୍ୱରୂପ କାଳୀ ରୂପ ଧାରଣ କରିଥିଲେ । ମହାକାଳୀଙ୍କ ଭୟଙ୍କର ସ୍ୱରୂପକୁ ଦେଖି ଭଗବାନ ଶଙ୍କର ଭୟଭୀତ ହୋଇ ପଳାୟନ କରିଥିଲେ । ମାତ୍ର ସେ ଯେଉଁ ସ୍ଥାନକୁ ଯାଉଥିଲେ ସେଠାରେ ଜଣେ ଜଣେ ମହାବିଦ୍ୟା ପ୍ରକଟ ହେଉଥିଲେ । ଏହିପରି ଶିବ ଦଶ ଦିଗକୁ ପଳାୟନ କରିବାକୁ ଉଦ୍ୟମ କରିବାରୁ ଦଶଜଣ ମହାବିଦ୍ୟା ପ୍ରକଟ ହୋଇଥିଲେ । ପ୍ରଥମେ କାଳୀ ଓ ପରେ ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା ରୂପରେ ପ୍ରକଟ ହୋଇ ଦେବୀ ଶକ୍ତି ଶିବଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ । ଶେଷରେ ଦେବୀ କମଳା ରୂପ ଧାରଣ କରିଥିବାରୁ ଶିବଙ୍କ ଭୟ ଲୋପ ପାଇଥିଲା । ପରବର୍ତ୍ତୀ ସମୟରେ ଦେବୀ ଏହି ଅବତାରରେ ପୁନଃ ପ୍ରକଟ ହୋଇ ଦୁଷ୍ଟମାନଙ୍କର ସଂହାର କରିଥିଲେ । ଦଶ ମହାବିଦ୍ୟାଙ୍କ ମଧ୍ୟରୁ କାଳୀ,ତାରା, ଛିନ୍ନମସ୍ତା, ବଗଳାମୁଖୀ ଆଦିଙ୍କୁ ଦେବୀଙ୍କ ଘୋର ରୂପ ଓ କମଳା, ଷୋଡ଼ଶୀ, ଭୁବନେଶ୍ବରୀ, ଆଦିଙ୍କୁ ଦେବୀଙ୍କ ଶାନ୍ତ ରୂପ
ବୋଲି କୁହାଯାଏ ।

ତେବେ ଆସନ୍ତୁ ଜାଣିବା ମହାଦେବୀଙ୍କର ୧୦ ସ୍ବରୂପ ସଂପର୍କରେ …
୧. ପ୍ରଥମ ମହାଶକ୍ତି ବା ମହାବିଦ୍ୟା କାଳୀଙ୍କ ରୂପକୁ ଉପନିଷଦରେ ଜ୍ୱଳନ୍ତ ଅଗ୍ନି ବୋଲି ବର୍ଣ୍ଣନା କରାଯାଇଛି । ଉପନିଷଦରେ ମଧ୍ୟରେ କାଳୀ ପ୍ରଥମ ମାତା ରୂପେ କଥିତ। ଶକ୍ତିସଂଗମ ତନ୍ତ୍ରରେ କାଳୀ ଶ୍ରେଷ୍ଠ ମହାବିଦ୍ୟା ବା ବିଦ୍ୟାରାଜ୍ଞୀ । କାଳୀଙ୍କ ଉପାସନା କଲେ କଳିକାଳରେ ଶୀଘ୍ର ଫଳ ପ୍ରାପ୍ତି ଯଥା- ଧନଲାଭ, ଶକ୍ତିଲାଭ, କ୍ଷମତାପ୍ରାପ୍ତି ଓ ଶତ୍ରୁଜୟ ହୋଇଥାଏ । ଏହାଙ୍କ ସହିତ ମହାକାଳ ରୂପୀ ଶିବଙ୍କ ଆରାଧନା କରାହୁଏ ।

୨. ଦ୍ବିତୀୟ ମହାବିଦ୍ୟା ତାରା ଅନେକ ଜନ୍ମର କର୍ମଫଳ ଜନିତ ଦୁଃଖଦୁର୍ଦ୍ଦଶା ଦୂର କରିଥାନ୍ତି । ଏହାଙ୍କୁ ନୀଳସରସ୍ୱତୀ ବା ନୀଳତାରା ମଧ୍ୟ କୁହାଯାଏ । ତାରାଦେବୀଙ୍କ ଆରାଧନା କଲେ ଭବସିନ୍ଧୁ ପାରିହେବା ସହଜ ହୁଏ । ତାରା ଘୋର ରୂପିଣୀ, ନୀଳବର୍ଣ୍ଣା । ସେ ନବୀନ ଯୁବତୀ, ଲୋଳଜିହ୍ୱା ଓ ଚତୁର୍ଭୁଜା, ନୀଳପଦ୍ମ, ଖଡ୍ଗ, କଈଞ୍ଚି ତଥା ବରଦ ମୁଦ୍ରା ଧାରଣ କରିଛନ୍ତି । ତାଙ୍କ ଶରୀରର ବର୍ଣ୍ଣ ନୀଳ, ତିନି ଚକ୍ଷୁ ଉଦିତ ସୂର୍ଯ୍ୟ ଭଳି ଅରୁଣ ବର୍ଣ୍ଣ । ତାରାଙ୍କୁ ପୂଜା କଲେ କବିତ୍ୱ, ପାଣ୍ଡିତ୍ୟ ପ୍ରାପ୍ତି, ବ୍ରହ୍ମଜ୍ଞାନ ପ୍ରାପ୍ତି ତଥା ବିପଦରୁ ରକ୍ଷା ମିଳେ। ତାଙ୍କ ସହ ଶିବ ଅକ୍ଷୋଭ୍ୟ ରୂପେ ପୂଜିତ।

୩. ତୃତୀୟ ମହାବିଦ୍ୟା ଷୋଡ଼ଶୀଙ୍କୁ ତନ୍ତ୍ରଶାସ୍ତ୍ରରେ ଶ୍ରୀବିଦ୍ୟା, ତ୍ରିପୁରସୁନ୍ଦରୀ, ଲଳିତା, ରାଜରାଜେଶ୍ୱରୀ, ପରାଭଟ୍ଟାରିକା ଆଦି ଆଖ୍ୟା ଦିଆଯାଇଛି।ସେ ମଧ୍ୟ ଚତୁର୍ଭୁଜା, ଅରୁଣବର୍ଣ୍ଣା, ପରମଶିବଙ୍କ ଉପରେ ଅସୀନା ଓ ସର୍ବଦା ଷୋଳବର୍ଷ ବୟସୀ । ହାତରେ ଅଛି ପାଶ, ତୀର, ଅଙ୍କୁଶ ଓ ଧନୁ । ତ୍ରିପୁରସୁନ୍ଦରୀ ଷୋଡ଼ଶୀଙ୍କ ଉପାସନା ମୁଖ୍ୟତଃ ଶଙ୍କରାଚାର୍ଯ୍ୟଙ୍କ ପୀଠମାନଙ୍କରେ ହୋଇଥାଏ । ଏହାଙ୍କର କାଦି, ହାଦି, ସାଦି ଆଦି ପରମ୍ପରା ପ୍ରଚଳିତ । ଷୋଡ଼ଶୀ ସିଦ୍ଧିଦାୟିନୀ, ଆତ୍ମଜ୍ଞାନ ଦାୟିନୀ ସମସ୍ତ କାମନା ପୂର୍ଣ୍ଣକାରିଣୀ, ସର୍ବଜନବଶକାରିଣୀ । ତ୍ରିପୁରସୁନ୍ଦରୀଙ୍କ ସହିତ ଶିବ କାମେଶ୍ୱର ରୂପେ ଆରାଧିତ ।

୪. ଚତୁର୍ଥ ମହାବିଦ୍ୟା ଭୁବନେଶ୍ୱରୀ ସର୍ବଦା ହାସ୍ୟମୁଖୀ ଓ ମଧ୍ୟାହ୍ନ ସୂର୍ଯ୍ୟଙ୍କ ଆଭା ସଦୃଶ । ଏହାଙ୍କ ନିବାସସ୍ଥାନ ମଣିଦ୍ୱୀପ । ଭୁବନେଶ୍ୱରୀଙ୍କ ହସ୍ତରେ ଅଛି ବରମୁଦ୍ରା, ଅଭୟମୁଦ୍ରା, ପାଶ ଓ ଅଙ୍କୁଶ । ସେ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି ଏବଂ ଯଶକାମୀ, ରାଜ୍ୟକାମୀ ତାଙ୍କୁ ଆରାଧନା କଲେ ସଫଳକାମ ହୋଇଥାନ୍ତି । ରୁଗ୍ଣ ବ୍ୟକ୍ତି ତାଙ୍କ କୃପା ବଳରେ ନିରୋଗ ହୋଇଥାନ୍ତି । ସନ୍ତାନ ପ୍ରାପ୍ତି, ପରମଶାନ୍ତି ଲାଭ, ମୋକ୍ଷପ୍ରାପ୍ତି ନିମନ୍ତେ ତାଙ୍କ ଆରାଧନା କରଯାଏ । ଭୁବନେଶ୍ୱରୀଙ୍କ ସହ ତ୍ର୍ୟମ୍ବକ/ ଭୁବନେଶ୍ୱର ରୂପୀ ଶିବଙ୍କ ପୂଜା କରାହୁଏ ।

୫. ପଞ୍ଚମ ମହାବିଦ୍ୟା ଭୈରବୀଙ୍କ ଅନ୍ୟନାମ ତ୍ରିପୁର ଭୈରବୀ । ଭୈରବୀଙ୍କ ଅଙ୍ଗକାନ୍ତି ସହସ୍ର ଉଦିତ ସୂର୍ଯ୍ୟ ଭଳି । ତାଙ୍କ ଗଳାଦେଶରେ ନରମୁଣ୍ଡମାଳ ରହିଛି । ଭୈରବୀଙ୍କର ଚୈତନ୍ୟଭୈରବୀ, ସମ୍ପତ୍ ପ୍ରଦା, କୌଳେଶ୍ୱରୀ, ଷଟ୍କୂଟା, ରୁଦ୍ର, ଅନ୍ନଦା, ଭୁବନା, ବାଳା ଆଦି ଅନେକ ରୂପ ରହିଛି । ଚାରିହସ୍ତରେ ରହିଛି ଅଭୟ, ବରମୁଦ୍ରା, ଜପମାଳା ଓ ପୁସ୍ତକ, ମସ୍ତକରେ ରତ୍ନ ମୁକୁଟ । ସେ ମୃଦୁହାସ୍ୟଯୁକ୍ତା ଓ ତାଙ୍କ ଓଷ୍ଠ ରକ୍ତିମ । ସେ ବାକ୍ ସିଦ୍ଧି, ମାନସିକ ଶାନ୍ତି ଆଦି ପ୍ରଦାନ କରିଥାନ୍ତି । ଏହାଙ୍କ ଭୈରବ ବା ଶିବ ହେଲେ ଦକ୍ଷିଣାମୂର୍ତ୍ତି ।

୬. ଷଷ୍ଠ ମହାବିଦ୍ୟା ଛିନ୍ନମସ୍ତା ଦଶମହାବିଦ୍ୟା ମଧ୍ୟରେ ସବୁଠାରୁ ପ୍ରଚଣ୍ଡ ମୂର୍ତ୍ତି ଧାରଣ କରିଛନ୍ତି ତେଣୁ ତାଙ୍କୁ ପ୍ରଚଣ୍ଡଚଣ୍ଡୀ ମଧ୍ୟ କୁହାଯାଏ । ନିଜ ଛିନ୍ନ ଗଳଦେଶରୁ ନିର୍ଗତ ରୁଧିର ଧାର ପାନ କରିବାରେ ଛିନ୍ନମସ୍ତା ସର୍ବଦା ପ୍ରମତ୍ତ । ଛିନ୍ନମସ୍ତାଙ୍କ ଦୁଇ ପାର୍ଶ୍ୱରେ ଅଛନ୍ତି ବର୍ଣ୍ଣିନୀ ଓ ଡାକିନୀ । ସେ ଦୁହେଁ ମଧ୍ୟ ଛିନ୍ନମସ୍ତାଙ୍କ ରୁଧିର ପାନ କରିଥାନ୍ତି । ଛିନ୍ନମସ୍ତାଙ୍କ ଅନ୍ୟନାମ ବୈରୋଚନୀ, ସେ ସମସ୍ତ ଶତୃ ସଂହାର କାରିଣୀ, ଯୋଗସିଦ୍ଧିଦାୟିନୀ, ସମସ୍ତ ଦୁର୍ଭାଗ୍ୟ ନାଶକାରିଣୀ । ଏହାଙ୍କ ଶିବ ହେଲେ କବନ୍ଧ ।

୭. ସପ୍ତମ ମହାବିଦ୍ୟା ଧୂମାବତୀ ଦୀର୍ଘାଙ୍ଗୀ, ମଳିନବସ୍ତ୍ର ପରିହିତା ତଥା ବିଧବାରୂପ ଧାରିଣୀ, ତେଣୁ ସେ ଶିବଙ୍କ ବିନା ପୂଜିତା । ତାଙ୍କର ଗୋଟିଏ ହସ୍ତରେ ଅଛି କୁଲା, ଅନ୍ୟ ହସ୍ତରେ ବରମୁଦ୍ରା । ସେ ଦୁଃଖହାରିଣୀ, ବାଦବିବାଦରୁ ମୁକ୍ତିଦାୟିନୀ ଏବଂ ମୋକ୍ଷଦାୟିନୀ ।

୮. ଅଷ୍ଠମ ମହାବିଦ୍ୟା ବଗଳାମୁଖୀଙ୍କଠାରେ କାଳୀ, ତାରା, ଷୋଡ଼ଶୀଙ୍କ ଶକ୍ତି ଏକୀଭୁତ ହୋଇଛି । ସେ ହଳଦୀବର୍ଣ୍ଣ ବସ୍ତ୍ର ପରିଧାନ କରନ୍ତି । ସ୍ୱର୍ଣ୍ଣସିଂହାସନରେ ଉପନିବେଶ କରିଥାନ୍ତି । ତାଙ୍କର ଗୋଟିଏ ହସ୍ତରେ ଅଛି ମୁଦ୍ଗର, ଅନ୍ୟ ହସ୍ତରେ ଶତ୍ରୁର ଜିହ୍ୱା । ବଗଳାମୁଖୀ ଆଶୁ ଫଳ ପ୍ରଦାନ କରନ୍ତି, ସାଧନାମାର୍ଗର ବାଧା ଦୂର କରନ୍ତି ଏବଂ ସମସ୍ତ ଶତୃଙ୍କ ବାକ୍ ସ୍ତମ୍ଭନ କରିଥାନ୍ତି । ବଗଳାଙ୍କ ଶିବ ହେଲେ ମହାରୁଦ୍ର ବା ମୃତ୍ୟୁଞ୍ଜୟ।

୯. ନବମ ମହାବିଦ୍ୟା ମାତଙ୍ଗୀଙ୍କ ଶରୀରର ବର୍ଣ୍ଣ ଶ୍ୟାମ ବା ସବୁଜ । ଚାରି ହସ୍ତରେ ପାଶ, ଅଙ୍କୁଶ, ଖଡ୍ଗ ଓ ଖେଟକ । ସେ ବୀଣା, ବେଣୁ, ମୃଦଙ୍ଗ ଆଦି ବାଦ୍ୟପ୍ରିୟା ତଥା ତାଙ୍କ ଚତୁଃପାର୍ଶ୍ୱରେ ଶୁକପକ୍ଷୀମାନେ ବିଚରଣ କରୁଥାନ୍ତି। ସେ ରତ୍ନସିଂହାସନରେ ଉପନିବେଶ କରନ୍ତି। ମାତଙ୍ଗୀ ସୂର୍ଯ୍ୟଙ୍କ ଇଷ୍ଟଦେବୀ । ସେ ଜ୍ଞାନଦାୟିନୀ, ତଥା ଶବ୍ଦ ଓ ସଙ୍ଗୀତ ଶାସ୍ତ୍ରରେ ସିଦ୍ଧିଦାୟିନୀ । ମାତଙ୍ଗୀଙ୍କ ଶିବ ମତଙ୍ଗ ରୂପେ ପୂଜିତ।

୧୦. ଦଶମ ତଥା ଶେଷ ମହାବିଦ୍ୟା କମଳା ହେଉଛନ୍ତି ମହାଲକ୍ଷ୍ମୀ । କେତେକ ତନ୍ତ୍ରଶାସ୍ତ୍ରରେ କମଳା ବା କମଳାତ୍ମିକାଙ୍କୁ ପ୍ରଧାନ ମହାଶକ୍ତି ରୂପେ ବର୍ଣ୍ଣନା କରାଯାଇଛି । କମଳାଙ୍କ ଉପାସନା କଲେ ସାଧକ ଧନଧାନ୍ୟ ଗୋପ ଲକ୍ଷ୍ମୀରେ ଭୋଗୀ ହୋଇଥାନ୍ତି । କମଳାଙ୍କ ଅଙ୍ଗକାନ୍ତି ସୁନା ଭଳି । ୪ଟି ହାତୀ ତାଙ୍କୁ ସ୍ୱର୍ଣ୍ଣକୁମ୍ଭ ସାହାଯ୍ୟରେ ଅଭିଷେକ କରୁଛନ୍ତି । ତାଙ୍କ ହସ୍ତରେ ଅଛି ଓ ଅଭୟମୁଦ୍ରା, ଦୁଇଟି ପଦ୍ମ । ସେ ନିଜେ ପଦ୍ମ ଉପରେ ବିରାଜମାନ କରିଥାନ୍ତି । ଏହାଙ୍କ ଭୈରବଙ୍କ ନାମ ମହାବିଷ୍ଣୁ ବା ନାରାୟଣ ।