ବେଙ୍ଗାଲୁରୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ମାମଲାରେ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯିବ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶୁକ୍ରବାର ଏହାର ସୂଚନା ଦେଇଛନ୍ତି। ଜୟଲଳିତାଙ୍କ ମୃତ୍ୟୁ ମାମଲାର ତଦନ୍ତ ରିପୋର୍ଟ ପାଇଁ ଅବସରପ୍ରାପ୍ତ ବିଚାରପତି ଏ ଅରୁମୁଘସାମୀଙ୍କ ଅଧ୍ୟକ୍ଷତାରେ ଜଣିକିଆ କମିଟି ଗଠନ କରାଯାଇଥିଲା। ଷ୍ଟାଲିନ ପାର୍ଟିର ବରିଷ୍ଠ ନେତାଙ୍କ ନାତୁଣୀଙ୍କ ବିବାହ ସମାରୋହରେ ଯୋଗ ଦେବା ପରେ କହିଛନ୍ତି, ତଦନ୍ତ ରିପୋର୍ଟ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବ ଏବଂ ଏହାର ସୁପାରିଶ ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ସହିତ ୨୦୧୮ ମେ ୧୮ରେ ପୁଲିସ ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ଗଠିତ ବିଚାରପତି ଅରୁଣ ଜଗଦୀଶନ ଆୟୋଗଙ୍କ ରିପୋର୍ଟ ଉପରେ କ୍ୟାବିନେଟରେ ଆଲୋଚନା ହୋଇଛି। ଏହି ଘଟଣାରେ ଷ୍ଟାରଲାଇଟ କମ୍ପାନୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ତଦନ୍ତ ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି, ଅରୁମୁଘସାମୀ ଆୟୋଗ ଜୟଲଳିତାଙ୍କ ଅତି ଘନିଷ୍ଠ ଶଶିକଳାଙ୍କ ସହିତ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ସୁପାରିଶ କରିଛନ୍ତି। ମାମଲାରେ ଆଇନ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଉଲ୍ଲେଖନୀୟ ତଦନ୍ତ ରିପୋର୍ଟରେ ୨୦୧୬ ସେପ୍ଟେମ୍ବର ୨୨ରେ ଜୟଲଳିତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ଡିସେମ୍ବର ୫ରେ ଦେହାନ୍ତ ଘଟିବା ପର୍ୟ୍ୟନ୍ତ ଏବଂ ତାଙ୍କ ଚିକିତ୍ସାରେ କଣ କଣ ସୁବିଧା ଦିଆଯାଇଥିବା ସେ ସବୁ ଦିଗ ଉପରେ ଉଲ୍ଲେଖ ରହିଛି।