fbpx

ଇସ୍ରାଏଲରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ଆରମ୍ଭ ହେଲା ‘ଅପରେସନ ଅଜୟ’, ଆଜି ପହଞ୍ଚିବେ ପ୍ରଥମ ବ୍ୟାଚ୍

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟାବହ ରୂପ ନେବାରେ ଲାଗିଛି । ଏହି ଯୁଦ୍ଧ ଦ୍ୱାରା କେବଳ ଇସ୍ରାଏଲର ସେନା କିମ୍ବା ଯବାନ ନୁହଁନ୍ତି ସାଧାରଣ ନାଗରିକଙ୍କ ଜୀବନ ବି ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଇତି ମଧ୍ୟରେ ଏହି ଯୁଦ୍ଧରେ ହଜାର ହଜାର ନାଗରିକଙ୍କ ମୃତ୍ୟୁ ହୋଇ ସାରିଲାଣି ଓ ହଜାର ହଜାର ନାଗରିକ ଗୁରୁତର ହୋଇଛନ୍ତି । ଏପରି ସ୍ଥିତିରେ ଭାରତ ଇସ୍ରାଏଲରୁ ନିଜ ଦେଶକୁ ଫେରି ଆସିବାକୁ ଚାହୁଁଥିବା ଭାରତୀୟଙ୍କ ଲାଗି ‘ଅପରେସନ ଅଜୟ’ ଆରମ୍ଭ କରିଦେଇଛି । ଏହି ଅପରେସନ ଜରିଆରେ ପ୍ରଥମ ବ୍ୟାଚ୍ ଆଜି ଭାରତ ପହଞ୍ଚିବେ । ବିଦେଶମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି, ଅପରେସନ ଅଜୟରେ ବିଶେଷ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଉଛି ।

ଏସ୍‌. ଜୟଶଙ୍କର କହିଛନ୍ତି ଆମେ ବିଦେଶରେ ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ କଲ୍ୟାଣ ଲାଗି ପ୍ରତିିବଦ୍ଧ । ଇସ୍ରାଏଲରେ ଭାରତୀୟ ଦୂତାବାସ ସକ୍ରିୟ ରହିଛି । ଭାରତୀୟ ଦୂତାବାସ ଏହାର ନାଗରିକଙ୍କ ସହାୟତା ଲାଗି ୨୪ ଘଣ୍ଟା ହେଲ୍ପ ଲାଇନ୍ ନମ୍ବର ଓ ଇମେଲ୍ ଆଇଡି ଜାରି କରିଛି । ଏହାରି ମଧ୍ୟରେ ଇସ୍ରାଏଲରେ ରହିଥିବା ଭାରତୀୟ ପ୍ରବାସୀମାନେ ଭାରତୀୟ ସେନା ଉପରେ ସେମାନଙ୍କ ଭରୋସା ସ୍ଥାପନ କରିଛନ୍ତି । ସେମାନେ ଇସ୍ରାଏଲରେ ହିଁ ରହିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଅନ୍ୟପକ୍ଷରେ ଦୂତାବାସ ଭାରତୀୟ ନାଗରିକଙ୍କ ସୁରକ୍ଷା ଲାଗି ୨୪ ଘଣ୍ଟା କାମ କରୁଥିବା କହିଛି ।

ଭାରତୀୟ ଦୂତାବାସର ସୂତ୍ର ଅନୁସାରେ ଯୁଦ୍ଧରେ ପ୍ରଭାବିତ ଇସ୍ରାଏଲଙ୍କ ମଧ୍ୟରେ ଏବେ ଭାରତୀୟ ମୂଳ ୮୫,୦୦୦ ଲୋକ ରହିଛନ୍ତି ଯେଉଁମାନେ ଇହୁଦୀ ସଂପ୍ରଦାୟର ଅଟନ୍ତି । ୫୦ ଓ ୬୦ ଦଶକରେ ଭାରତରୁ ଇସ୍ରାଏଲ ଯାଇ ବସତି ସ୍ଥାପନ କରିବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ମହାରାଷ୍ଟ୍ରରୁ ସବୁଠାରୁ ଅଧିକ ଲୋକ ଇସ୍ରାଏଲରେ ବସତି ସ୍ଥାପନ କରିଛନ୍ତି । ଏହାପରେ କେରଳ, କୋଲକାତା, ମଣିପୁର, ମିଜୋରାମରୁ ମଧ୍ୟ ବହୁ ମୂଳ ଭାରତୀୟ ଇସ୍ରାଏଲରେ ବସତି ସ୍ଥାପନ କରିଛନ୍ତି ।

ଇସ୍ରାଏଲର ବହୁ ସହରରେ ହିନ୍ଦୁ ଜନବସତି ବି ରହିଛି । ଆକଳନ ଅନୁଯାୟୀ ଏଠାରେ ମୋଟ ୬,୪୨୭ ହିନ୍ଦୁ ରହୁଛନ୍ତି । ଏଠାରେ ପ୍ରାୟ ୧୮,୦୦୦ରୁ ଅଧିକ ଏପରି ଭାରତୀୟ ନାଗରିକ ରହୁଛନ୍ତି ଯେଉଁମାନେ ସେଠାରେ ବୟସ୍କ ଇସ୍ରାଏଲ ନାଗରିକଙ୍କ ସେବାଯତ୍ନ, ହୀରା ବ୍ୟବସାୟ,ଆଇଟି କ୍ଷେତ୍ରରେ କାର୍ଯ୍ୟରତ ଓ ବିଦ୍ୟାର୍ଥୀ ଅଟନ୍ତି ।

Get real time updates directly on you device, subscribe now.