(Video) ଚାଲିଗଲେ ରାଇମୋହନ: ଏପରି ଆରମ୍ଭ କରିଥିଲେ ଅଭିନୟ କ୍ୟାରିୟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଆଜି ଏକ ଦୁଃଖଦ ଦିନ । ଖଳନାୟକ ଭୂମିକାରେ ଅଭିନୟ କରି ସମସ୍ତ ମନ ମୋହୁଥିବା ଅଭିନେତା ରାଇମୋହନ ପରିଡ଼ା ଆଉ ଏ ଦୁନିଆରେ ନାହାନ୍ତି । ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହି ଖବରକୁ ତାଙ୍କ ପ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । କୁହାଯାଉଛି ପାରିବାରିକ କଳହରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ।

ତେବେ ଓଡ଼ିଆ ସିନେ ଜବତର ଦୁର୍ଦ୍ଦାନ୍ତ ଖଳନାୟକ ଥିଲେ ରାଇମୋହନ ପରିଡ଼ା । ଖଳନାୟକ ଭାବେ ଜୀବନ୍ତ ଅଭିନୟ ପାଇଁ ସେ ବେଶ ପରିଚିତ ହୋଇଥିଲେ । ସେ ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଯାତ୍ରା ଜଗତରେ ବି ବେଶ୍ ପ୍ରସିଦ୍ଧ ଥିଲେ ରାଇମୋହନ । ମଞ୍ଜ ଉପରେ ରାଇଙ୍କ ଖଳନାୟକ ଦର୍ଶକଙ୍କୁ ରୋମାଞ୍ଚିତ କରୁଥିଲା ।

ରାଇମୋହନ ପରିଡ଼ା ୧୯୬୩, ଜୁଲାଇ ୧୦ରେ କେନ୍ଦୁଝରରେ ଜନ୍ମ ହୋଇଥିଲେ। ପିଲାବେଳୁ ହିଁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ରହିଥିଲା। ତା’ପରେ ସ୍କୁଲ ଓ କଲେଜରେ ପଢ଼ିବା ବେଳେ ନାଟକରେ ଭାଗ ନେଉଥିଲେ। ତାଙ୍କର ଅଭିନୟ ପ୍ରତି ଭଲ ପାଇବା ଦେଖି ତାଙ୍କ ବାପା ତାଙ୍କୁ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳକୁ ପଠାଇଥିଲେ। ଏହାପରେ ରାଇମୋହନଙ୍କର ବିଧିବଦ୍ଧ ଭାବେ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ସେ ଫିଲ୍ମ, ସିରିଏଲ, ଡ୍ରାମା, ମେଗା ସିରିଏଲ ଆଦିରେ ଅଭିନୟ କରି ଆଜି ଏକ ଭିନ୍ନ ଛାପ ଛାଡ଼ିଛନ୍ତି ।

‘ସାଗର’ ଫିଲ୍ମରୁ ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ। ଏହାପରେ ୧୯୯୧-୯୨ରେ ସେ ପ୍ରଥମେ ଅଭିନେତା ଅଶ୍ରୁମୋଚନଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ତାଙ୍କୁ ଓଲିଉଡର ସୋ’ମ୍ୟାନ୍‌ ପ୍ରଶାନ୍ତ ନନ୍ଦଙ୍କ ଫିଲ୍ମ ‘ପକା କମ୍ବଳ ପୋତ ଛତା’ରେ ସେ ଅଫର ପାଇଥିଲେ। ରାଇମୋହନ ‘ରଣଭୂମି’, ‘ସିଂହବାହିନୀ’, ‘ସରପଞ୍ଚ ବାବୁ’, ‘କୁଳ ନନ୍ଦନ’, ‘ବିଧାତା’, ‘ଆସିବୁ କେବେ ସାଜି ମୋ ରାଣୀ’ ଭଳି ଅନେକ ଫିଲ୍ମରେ ସେ କାମ କରିଛନ୍ତି। ତାଙ୍କର ‘ହେଇ ଅନାନି’, ‘ମୁଁ ନାଗିନା’ ଭଳି କିଛି ଡାଇଲଗ ଦର୍ଶକଙ୍କ ମନରେ ଘର କରି ରହଯାଇଛି।

ସିନେମା ଜଗତରେ ଢେର ସଫଳତା ସାଉଣ୍ଟିବା ପରେ ରାଇମୋହନ ଯାତ୍ରା ଜଗତକୁ ଚାଲି ଆସିଥିଲେ। ଯଲିଉଡର ଏହି ସଫଳ ନିର୍ଦ୍ଦେଶକ ରାଇମୋହନ ତାରିଣୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ରୁଦ୍ରାଣୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ ଓ ଗୌରୀ ଗଣନାଟ୍ୟ ଆଦିରେ ମଞ୍ଚସ୍ଥ ବିଭିନ୍ନ ନାଟକର ନିର୍ଦ୍ଦେଶନା ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ରାଇମୋହନ ଯାତ୍ରାରେ ନିର୍ଦ୍ଦେଶନା ସାଙ୍ଗକୁ ଅଭିନୟରେ ବି ସକ୍ରିୟ ହୋଇଥିଲେ ।