fbpx

କୋବି ପରି ପତ୍ରଯୁକ୍ତ ପନିପରିବାରେ ଲୁଚି ରହିଥାନ୍ତି କୀଟପୋକ, ସଫା କରିବା ଲାଗି ଆପଣାନ୍ତୁ ଏହି ସହଜ ଉପାୟ

ସବୁଜ ପତ୍ରଯୁକ୍ତ ପନିପରିବାରେ ପ୍ରାୟତଃ ପୋକ ରହିଥାନ୍ତି । ବର୍ଷାଦିନେ ଏହି ପୋକ ଅଧିକ ମାତ୍ରାରେ ରହିଥାନ୍ତି । ଅଧିକାଂଶ ପୋକ ପତ୍ର ପରି ସବୁଜ ହୋଇଥିବାରୁ ସେମାନଙ୍କୁ ସହଜରେ ବାରି ହୁଏ ନାହିଁ । ତେଣୁ ଏମାନେ ବହୁ ସମୟରେ ପନିପରିବା ସହ ପେଟ ମଧ୍ୟକୁ ଯାଇ ବିଭିନ୍ନ ରୋଗର କାରଣ ହୋଇଥାନ୍ତି । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ସର୍ବଦା ପନିପରିବାକୁ ଭଲ ଭାବେ ଧୋଇ ଖାଇବାକୁ ପରାମର୍ଶ ଦେଇଥାନ୍ତି ।
ଆମେ ସମସ୍ତେ ରାନ୍ଧିବା ପୂର୍ବରୁ ପନିପରିବାକୁ ପାଣିରେ ତ ଧୋଇଥାଉ କିନ୍ତୁ ଏହାଦ୍ୱାରା ସବୁ ପୋକ ଯାଇ ନ ଥାନ୍ତି । ଏହାଦ୍ୱାରା କେବଳ ଆମେ ପନିପରିବାରେ ଲାଗିଥିବା ଧୂଳିମାଟିକୁ ସଫା କରିଥାଉ । ଯଦିଓ ପନିପରିବାରୁ ପୋକ ବାହାର କରିବା କୌଣସି ମୁସ୍କିଲ କାମ ହୋଇ ନ ଥାଏ କିନ୍ତୁ ଫୁଲକୋବି, ପତ୍ରକୋବି ପରି ସବୁଜ ପତ୍ରଯୁକ୍ତ ପନିପରିବାରେ ଏହି ପୋକ ଏପରି ଭାବରେ ଲୁଚି ରହିଥାନ୍ତି ଯେ, ଧୋଇବା ସମୟରେ ସେମାନଙ୍କୁ ସଂପୂର୍ଣ୍ଣ ଭାବରେ ସଫା କରାଯାଇ ପାରି ନ ଥାଏ । ଏହି କ୍ରମରେ ଆସନ୍ତୁ ଜାଣିବା ଏହି ପ୍ରକାର ପନିପରିବାରୁ ସହଜରେ କିପରି ପୋକ ବାହାର କରିବେ ।
ଫୁଲକୋବିରୁ ପୋକ କାଢିବେ କିପରି:
ନ କାଟି ଫୁଲକୋବିରୁ ପୋକ ବାହାର କରିବା ମୁସ୍କିଲ । ଏଣୁ ଏଥିରୁ ପୋକ ବାହାର କରିବା ଲାଗି ଏହାକୁ କାଟି କିମ୍ବା ଭାଙ୍ଗି ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ଏବେ ଏକ ପାତ୍ରରେ ଲୁଣ ପକାଇ ସେଥିରେ କୋବିକୁ ଭଲ ଭାବରେ ଗୋଳାଇ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏପରି କରିବା ଦ୍ୱାରା ଡିହାଇଡ୍ରେସନ ହୋଇ ସମସ୍ତ ପୋକ ମରିଯିବେ କିମ୍ବା ଛଟପଟ ହୋଇ ବାହାରକୁ ଆସିଯିବେ । ଏହାପରେ ପରିଷ୍କାର ପାଣିରେ କୋବିକୁ ଧୋଇ ରାନ୍ଧନ୍ତୁ ।
ପତ୍ରକୋବିରୁ ପୋକ କାଢିବେ କିପରି:
ପତ୍ରକୋବିରେ ଥିବା ପୋକ ବହୁତ କ୍ଷତିକାରକ ହୋଇଥାନ୍ତି । ଏମାନେ ଆପଣଙ୍କ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇପାରନ୍ତି । ଏଣୁ ପତ୍ର କୋବିକୁ ସବୁଠାରୁ ଭଲ ଭାବେ ସଫା କରିବା ଉଚିତ । ପ୍ରଥମେ ଏହାର ଉପର ଦୁଇ ସ୍ତରକୁ କାଢି ଫିଙ୍ଗି ଦିଅନ୍ତୁ । ଏହାପରେ ଏହାକୁ କାଟି ସମସ୍ତ ପାଖୁଡାକୁ ଅଲଗା ଅଲଗା କରି ଦିଅନ୍ତୁ । ଏକ ପାତ୍ରରେ ଉଷୁମ ପାଣି ନେଇ ସେଥିରେ ଲୁଣ ଓ ହଳଦୀ ମିଶାନ୍ତୁ ଓ ସେଥିରେ କଟାଯାଇଥିବା କୋବିକୁ ଭିଜାଇ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାକୁ ରାନ୍ଧିବା ପୂର୍ବରୁ ପୁଣି ଥରେ ପରିଷ୍କାର ପାଣିରେ ଧୋଇ ନିଅନ୍ତୁ ।
କିପରି ଧୋଇବେ ଅନ୍ୟାନ୍ୟ ପତ୍ରଯୁକ୍ତ ପନିପରିବା:
କୀଟପୋକ କାରଣରୁ ବର୍ଷାଦିନେ ପତ୍ରଯୁକ୍ତ ପନିପରିବା ଖାଇବାକୁ ବାରଣ କରାଯାଇଥାଏ । ତଥାପି ଆପଣ ଏହା ଖାଉଥିଲେ ଭଲ ଭାବରେ ସଫା କରି ଖାଆନ୍ତୁ । ଏଥିପାଇଁ ଏକ ପାତ୍ରରେ ହଳଦୀ ପାଣି ଗୋଳି ସେଥିରେ ପତ୍ରକୁ ଅଲଗା ଅଲଗା କରି ଭିଜାଇ ଦିଅନ୍ତୁ । ୧୦ ମିନିଟ୍ ପରେ ପରିଷ୍କାର ପାଣିରେ ଧୋଇ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.