ମାତା ପିତା ଏବଂ ଅଭିଭାବକମାନେ ନିଜ ପିଲାଙ୍କୁ ଉତ୍ତମ ସଂସ୍କାର ଏବଂ ଶିକ୍ଷା ଦେବା ପାଇଁ ସବୁବେଳେ ପ୍ରୟାସ କରିଥାନ୍ତି । ବେଳେ ବେଳେ ପିଲାମାନଙ୍କ ଜିଦ୍ ପୂରା କରିବା ପାଇଁ ମଧ୍ୟ ପଛାନ୍ତି ନାହିଁ । ଆଜିକାଲି କିନ୍ତୁ ପିଲାମାନଙ୍କୁ ଶାସନ କରିବା କାଠିକର ପାଠ ହୋଇଗଲାଣି । ସେମାନଙ୍କ ଉପରେ କ୍ରୋଧିତ ହୋଇ ବୁଝାଇବାକୁ ଚେଷ୍ଟା କରିଲେ କିଛି ଲାଭ ହୁଏନି । ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କ ବ୍ୟବହାରରେ କିିଛି ବି ପ୍ରଭାବ ପଡ଼ିନଥାଏ । ଏହା ପିଲାମାନଙ୍କ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇବା ସହ ସେମାନଙ୍କ ଅଧିକ କ୍ରୋଧିିତ ଏବଂ ଅଶାଳୀନ କରାଇଥାଏ । ତେଣୁ ଆପଣଙ୍କ ପିଲା ମଧ୍ୟରେ ଏପରି ଲକ୍ଷଣ ଦେଖିଲେ ନିଜେ ଧୈର୍ଯ୍ୟ ଧରି ସେମାନଙ୍କ ଅଭ୍ୟାସରେ ସୁଧାର ଆଣିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଟିପ୍ସ୍ ଆପଣାଇବା ଦ୍ୱାରା ଏଭଳି ପରିସ୍ଥିତିକୁ ସମ୍ଭାଳି ପାରିବେ:
– ପିଲାମାନେ ଜିଦ୍ କରିବା ସ୍ୱାଭାବିକ । କିନ୍ତୁ ଯଦି ସେମାନେ ବେଶି ଜିଦ୍ କରନ୍ତି ତେବେ ସେମାନଙ୍କ ଉପରେ ପାଟି କରନ୍ତୁ ନାହିଁ । ଚୁପ୍ ରୁହନ୍ତୁ । କିଛି ସମୟ ପରେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ପିଲାମାନଙ୍କ ସହ ବନ୍ଧୁତାପୂର୍ଣ୍ଣ ଆଚରଣ ରଖନ୍ତୁ । ଏହାଦ୍ୱାରା ସେମାନେ ଠିକ୍ ଓ ଭୁଲ ଭିତରେ ଫରକ ଜାଣି ପାରିବେ ।
– ଝଗଡ଼ା କରିବା କୈଣସି ସମସ୍ୟାର ସମାଧାନ ନୁହେଁ । ପିଲାମାନଙ୍କ କଥା ପୁରା ଶୁଣନ୍ତୁ ଏବଂ ତାହା ଠିକ୍ ନା ଭୁଲ୍ ବିଚାର କରିବା ପରେ ଶାନ୍ତ ମନରେ କଥା ହୁଅନ୍ତୁ । ଅନେକ ସମୟରେ ପିଲାମାନେ ଇଆଡ଼ୁ ସିଆଡ଼ୁ ପ୍ରଶ୍ନ ପଚାରିଥାନ୍ତି । ସେମାନଙ୍କୁ ସ୍ପଷ୍ଟ ଭାବରେ ଉତ୍ତର ଦିଅନ୍ତୁ ବା ଖେଳ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରନ୍ତୁ ।
– ପ୍ରତ୍ୟେକ ପରିବାରରେ କିଛି ନିୟମ ଏବଂ ଅନୁଶାସନ ରହିଥାଏ । ଏହା ଜିଦ୍ଦି ପିଲାମାନଙ୍କୁ ବୁଝାଇବାରେ ଅନେକାଂଶରେ ସହୟକ ହୋଇଥାଏ । କିନ୍ତୁ ଧ୍ୟାନ ଦେବେ ଯେ ଏହି ସବୁ ନିୟମ ଶକ୍ତ ନ ରହୁ ।
– ଆଖପାଖ ପରିବେଶ ଜଣେ ବ୍ୟକ୍ତିର ବ୍ୟବହାର ଉପରେ ପ୍ରଭାବ ପକାଇଥାଏ । ଆପଣଙ୍କ ଘରେ ପିଲାକୁ ଉତ୍ତମ ମାହୋଲ ମିଳିବା ପରେ ବି ଯଦି ନ ମାନନ୍ତି ବା ଦୁଷ୍ଟ ହୁଅନ୍ତି ତେବେ ସେମାନଙ୍କ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ପିଲାମାନଙ୍କ ସାଙ୍ଗସାଥୀ କିଏ, କେଉଁଠିକୁ ଯାଉଛନ୍ତି, ମୋବାଇଲରେ କ’ଣ ଦେଖୁଛନ୍ତି ଇତ୍ୟାଦି ବିଷୟ ଉପରେ ନଜର ରଖନ୍ତୁ ।
– ପିଲାମାନଙ୍କୁ କହିବା ପାଇଁ ମଉକା ଦିଅନ୍ତୁ । ଏପରି ନ ହେଲେ ସେମାନେ ଆପଣଙ୍କ କଥା ଶୁଣିବେ ନାହିଁ କି ମନର କଥା ଖୋଲି କହିବେ ନାହିଁ । ନିଜେ ବୁଝିବା ଓ ବୁଝାଇବା ଦ୍ୱାରା ମାତା ପିତା ଓ ସନ୍ତାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇଥାଏ ।
– ପିଲାମାନଙ୍କ ଉପରେ ନିଜ ନିଷ୍ପତ୍ତି କେବେ ବି ଲଦିବା କଥା ନୁହେଁ । ଏହା ସେମାନଙ୍କ ସୃଜନଶୀଳତା ଏବଂ ବିକାଶରେ ବାଧା ଉତ୍ପନ୍ନ କରିଥାଏ । ପିଲାମାନଙ୍କ ସହ କିଛି ସମୟ ଅତିବାହିତ କରିବା ଦ୍ୱାରା ସମ୍ପର୍କ ଦୃଢ଼ ହୋଇଥାଏ ।