ନୂଆଦିଲ୍ଲୀ: ଅନେକ ଗୀତ, ନେକ ଶାୟରୀରେ ପ୍ରେମକୁ ଏକ ପାଠ ବୋଲି କୁହାଯାଇଛି । କିନ୍ତୁ ପ୍ରକୃତରେ ଏହା କ’ଣ ଏକ ପାଠ? ବର୍ତ୍ତମାନ ସମୟରେ ଏହାର ଉତ୍ତର ଦେବାକୁ ଗଲେ, ହଁ ପ୍ରେମ ଏକ ପାଠ । ଯାହାକୁ ଏବେ କଲେଜରେ ପଢା ହେବ । ଏକ ସ୍ପେସାଲ କ୍ଲାସରେ ଛାତ୍ରଛାତ୍ରୀଙ୍କୁ ପ୍ରେମ ବିଷୟରେ ପାଠ ପଢାଇବେ ଶିକ୍ଷକ । ପ୍ରେମ କେମିତି ହୁଏ? କାହିଁକି ହୁଏ? କାହା ସହ ହୁଏ? ଏମିତି ଆହୁରି ଅନେକ ପ୍ରସଙ୍ଗ ଉପରେ ଖୋଲାଖୋଲି ଭାବରେ ଆଲୋଚନା କରିବା ପାଇଁ କଲେଜରେ ରହିବ ସ୍ୱତନ୍ତ୍ର ପିରିୟଡ୍ । ପ୍ରେମ ଏବଂ ଅନ୍ୟ ସମ୍ପର୍କ ବିଷୟରେ ସରଳତାର ସହ ବୁଝାଇବେ ଶିକ୍ଷକ । କେବଳ ପ୍ରେମ ନୁହେଁ, ବିବାହ ଏବଂ ସମ୍ପର୍କର ପ୍ରକୃତ ଅର୍ଥ ଏବଂ ମୂଲ୍ୟ ବୁଝିବେ ଯୁବପିଢୀ । ଏ ନେଇ ସରକାର ମଧ୍ୟ ନିୟମ କରିଛନ୍ତି ।
ଚୀନରେ ବର୍ତ୍ତମାନ ଜନସଂଖ୍ୟା ହ୍ରାସ ସମଗ୍ର ଦେଶ ପାଇଁ ଚିନ୍ତାର ବିଷୟ ପାଲଟି ଯାଇଛି । ୱାନ ଚାଇଲ୍ଡ ପଲିସି ନିୟମରେ ନିଜେ ଫସି ଯାଇଛି ଚୀନ । ଏହାଦ୍ୱାରା ସାରା ଦେଶରେ ଜନସଂଖ୍ୟା ହ୍ରାସ ହେବା ସହିତ ଯୁବପିଢୀଙ୍କ ମନରେ ବିବାହ ଏବଂ ସମ୍ପର୍କକୁ ନେଇ ଏକ ନକରାତ୍ମକ ଛବି ସୃଷ୍ଟି ହୋଇଛି । ତେଣୁ ଏହାକୁ ଦୂର କରିବା ପାଇଁ କଲେଜରେ ‘ପ୍ରେମ’ ବିଷୟରେ ପାଠ ପଢାଇବାକୁ ନିଷ୍ପତ୍ତି ନିଆଯାଉଛି । ଏହାଦ୍ୱାରା ଯୁବବର୍ଗଙ୍କ ମଧ୍ୟରେ ସମ୍ପର୍କ ଏବଂ ବିବାହ ଉପରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇପାରିବ । ତେଣୁ ବିଶ୍ୱବିଦ୍ୟାଳୟ ଏବଂ କଲେଜ ମାନଙ୍କରେ ‘ଲଭ୍ ଏଜୁକେସନ୍’ ବା ‘ପ୍ରେମ ପାଠ’ ପଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ ଅନୁସାରେ, କଲେଜ ଏବଂ ବିଶ୍ୱବିଦ୍ୟାଳୟକୁ ବିବାହ ଏବଂ ଲଭ୍ ଏଜୁକେସନ ସିଲାବସ୍ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଏଥିପ୍ରତି ଆକୃଷ୍ଟ କରାଇବାକୁ କୁହାଯାଇଛି । ଏକ ସର୍ଭେରୁ ଜଣାଯାଇଛି ଯେ, ଏଠାରେ ୫୭% କଲେଜରେ ଛାତ୍ରଛାତ୍ରୀ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଇଚ୍ଛା କରୁ ନାହାନ୍ତି । ତେଣୁ ପାଠପଢା ଏବଂ ରୋମାନ୍ସ ମଧ୍ୟରେ ସନ୍ତୁଳନ ରଖିବା କଷ୍ଟକର ହେଉଥିବା କହୁଛନ୍ତି ଯୁବପିଢୀ ।
ପ୍ରେମ ଏବଂ ବିବାହ ଉପରେ ବ୍ୟବସ୍ଥିତ ସାଇଣ୍ଟିଫିକ ଶିକ୍ଷାର ଅଭାବ ଯୋଗୁଁ ଚାତ୍ରଛାତ୍ରୀଙ୍କ ମଧ୍ୟରେ ଭାବନାତ୍ମକ ସମ୍ପର୍କକୁ ବୁଝିବାର କ୍ଷମତା ମଧ୍ୟ ହ୍ରାସ ହେଉଛି । ତେଣୁ ସର୍ଭେ ଏଥିପାଇଁ ଏକ ପ୍ରସ୍ତାବ ଦେଇଛି ଯେ, କଲେଜ ତଥା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜନସଂଖ୍ୟା ବୃଦ୍ଧିର ଶିକ୍ଷା ଦେବା ଉଚିତ୍ । ବିବାହ ଏବଂ ପିଲା ଜନ୍ମ କରିବାର ଆଧୁନିକ ଧାରା ଇତ୍ୟାଦି ବିଷୟରେ ଶିକ୍ଷିତ କରିବା ଆବଶ୍ୟକ । ଚୀନରେ ଜନସଂଖ୍ୟା ୧.୪ ବିଲିୟନ ହାଇଥିବା ବେଳେ ଦେଶର ଜନସଂଖ୍ୟା ବୃଢା ହେଉଥିବା କୁହାଯାଉଛି । ଭବିଷ୍ୟତରେ ଏହା ସରକାରୀ ଖର୍ଚ୍ଚକୁ ବୃଦ୍ଧି କରିବ ଏବଂ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି । ତେଣୁ ଆଗାମୀ ଦିନରେ ପ୍ରଜନନ ହାର ବୃଦ୍ଧି କରିବା ପାଇଁ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାପ୍ରଦାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରେ ।